ମିଥ୍ୟା ଖବରକୁ ନେଇ ଗୋବିନ୍ଦା ଜାରି କଲେ ୧୦୦ କୋଟିର ମାନହାନି ମକଦ୍ଦମା

ବଲିଉଡ୍ ଅଭିନେତା ତଥା ପୂର୍ବତନ ସାଂସଦ ଗୋବିନ୍ଦା ନିଜର ବ୍ୟକ୍ତିଗତ ଓ ପାରିବାରିକ ଜୀବନ ସମ୍ପର୍କିତ ମିଥ୍ୟା ପ୍ରଚାର କରାଯିବା ବିରୁଦ୍ଧରେ ଏକ ଆଇନଗତ ଚେତାବନୀ ଜାରି କରିଛନ୍ତି। ପତ୍ନୀ ସୁନିତା ଆହୁଜାଙ୍କ ସହ ତାଙ୍କ ସମ୍ପର୍କ ଏବଂ ଅଭିନେତ୍ରୀ କୋମଳ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା ମଧ୍ୟରେ ଏହି ଚେତାବନୀ ଦିଆଯାଇଛି। ତାଙ୍କ ଆଇନଗତ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ତାଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନକୁ ନେଇ ମିଥ୍ୟା ପ୍ରଚାର କରୁଥିବାର ଧରାପଡ଼ିବେ, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ଏବଂ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦାବି କରାଯାଇପାରେ।

ଗୋବିନ୍ଦାଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ୍ ମାଧ୍ୟମରେ ଗଣମାଧ୍ୟମ ସଂଗଠନ, ଡିଜିଟାଲ୍ ପ୍ଲାଟଫର୍ମ, ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସତର୍କ କରାଯାଇଛି । ଗୋବିନ୍ଦା ରାଣୀ ସ୍ୱର୍ଣ୍ଣକାରଙ୍କ ସହ ଗୁପ୍ତ ଭାବେ କୋର୍ଟ ବିବାହ କରିଛନ୍ତି, ଅନ୍‌ଲାଇନ୍‌ରେ ଏଭଳି ଦାବି ସାମ୍ନାକୁ ଆସିବା ପରେ ଏହି ନୋଟିସ୍ ଜାରି କରାଯାଇଥିଲା । ଏହା ପୂର୍ବରୁ, ସୋସିଆଲ୍ ମିଡିଆରେ ଗୋବିନ୍ଦାଙ୍କ କଥିତ ଛାଡ଼ପତ୍ରକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ଗୋବିନ୍ଦାଙ୍କ ଟିମ୍ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ, ଅଭିନେତା ଜଣକ ମାନହାନି, ଗୋପନୀୟତା ଉଲ୍ଲଂଘନ, ପରିଚୟର ଅପବ୍ୟବହାର ଏବଂ ସାଇବର ଅପରାଧ ସମ୍ବନ୍ଧୀୟ ଆଇନ ଅଧୀନରେ ଦେୱାନୀ (civil) ଓ ଫୌଜଦାରୀ (criminal) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ନୋଟିସ୍‌ରେ ‘ଭାରତୀୟ ନ୍ୟାୟ ସଂହିତା, ୨୦୨୩’ ଏବଂ ‘ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦’ର ବିଭିନ୍ନ ଧାରାକୁ ଉଲ୍ଲେଖ କରାଯାଇଛି। ଏଥିରେ ଚେତାବନୀ ମଧ୍ୟ ଦିଆଯାଇଛି ଯେ, ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଦାୟୀ ବ୍ୟକ୍ତିଙ୍କ ସମ୍ପତ୍ତି ଓ ଆର୍ଥିକ ଖାତା ସମ୍ବନ୍ଧୀୟ କୋର୍ଟ ନିର୍ଦ୍ଦେଶ ପାଇଁ ଅନୁରୋଧ ଏବଂ ଆଇନ ଅନୁଯାୟୀ ଉପଲବ୍ଧ ଅନ୍ୟାନ୍ୟ ପଦକ୍ଷେପ ଅନ୍ତର୍ଭୁକ୍ତ ହୋଇପାରେ।

ଗତ କିଛି ସପ୍ତାହ ଧରି ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ ଲୋକଲୋଚନକୁ ଆସିଛି ଏବଂ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ହେଉଛି। ନିକଟରେ ଏହି ଅଭିନେତାଙ୍କୁ ବିମାନବନ୍ଦରରେ ତାଙ୍କର କଥିତ ପ୍ରେମିକା କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ଦେଖିବାକୁ ମିଳିଥିଲା। ଏହା ପରେ, ସୁନିତା ଗୋବିନ୍ଦାଙ୍କୁ କୋମଲଙ୍କ “ସୁଗାର ଡ୍ୟାଡି” (sugar daddy) ବୋଲି ସମ୍ବୋଧନ କରିଥିଲେ । ସର୍ବସାଧାରଣ ସ୍ଥାନରେ ସେମାନଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ।