ଏସଡିପିଓଙ୍କ ଦ୍ୱାରସ୍ଥ ହେଲେ ଜିଏସୟୁ ଛାତ୍ର

ଜାତିଆଣ ମନ୍ତବ୍ୟ ଓ ଜଣେ ଆଦିବାସୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ରୁଜୁ ହୋଇଥିବା ମାମଲାରେ ମାସେରୁ ଅଧିକ ସମୟ ବିତିଥିଲେ ମଧ୍ୟ ଅଭିଯୁକ୍ତଙ୍କ ଗିରଫ ନହେବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଜିଏସୟୁ ଛାତ୍ର ସଂଘ। ଗିରଫ ଦାବିରେ ସଂଘର ଏକ ପ୍ରତିନିଧି ଦଳ ଉମରକୋଟ ଏସ୍‌ଡିପିଓ ଶୁଭେନ୍ଦୁ କୁମାର ଶବରଙ୍କୁ ଭେଟି ଦାବି ଜଣାଇଛନ୍ତି। ସୂଚନା ଅନୁଯାୟୀ, ଗତ ଜୁଲାଇ ୧୨ ତାରିଖରେ ଜାତିଆଣ ମନ୍ତବ୍ୟକୁ ନେଇ ରାଇଘର ଥାନାରେ ଏଫ୍‌ଆଇଆର୍‌ ଦିଆଯାଇଥିଲା। ଏହି ଘଟଣାରେ ରାଇଘର ଅଞ୍ଚଳର ବିଜେପି ନେତା ସନ୍ତୋଷ ମହାପାତ୍ର ଓରଫ ‘ସନ୍ତୁ ଙ୍କ ତିରୁ ପାତ୍ର, ସୁଶାନ୍ତ ସାମନ୍ତରାୟ (ଟୁକୁନି)ବିରୋଧରେ ଏସ୍‌ସି/ଏସ୍‌ଟି ଅତ୍ୟାଚାର ନିବାରଣ ଆଇନ ଅଧୀନରେ ମାମଲା ରୁଜୁ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି।ତେବେ ଦୀର୍ଘ ସମୟ ପରେ ମଧ୍ୟ ଗିରଫ ନହେବାରୁ ଅଗଷ୍ଟ ୩ ତାରିଖରେ ଯୁବ ଛାତ୍ର ସମାଜ ପକ୍ଷରୁ ବିଶାଳ ପଦଯାତ୍ରା କରାଯାଇ ରାଇଘର ଥାନା ଅଧିକାରୀଙ୍କୁ ପୁନର୍ବାର ଅଭିଯୋଗ ଜଣାଯାଇଥିଲା। ଏହା ସତ୍ତ୍ୱେ ଗିରଫ ନହେବାରୁ ଏବେ ଜିଏସ୍‌ୟୁ ଛାତ୍ର ସଂଘ ଏସ୍‌ଡିପିଓଙ୍କ ଦ୍ୱାରସ୍ଥ ହୋଇଛି।ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ମାମଲା ନମ୍ବର ୨୦୯/୨୬ ସମ୍ପର୍କିତ ଚାର୍ଜସିଟ୍‌ ଥାନା ଅଧିକାରୀ ମଲାର ବରଙ୍କୁ ହସ୍ତାନ୍ତର ହୋଇଛି। ଏହା ପରେ ରାଇଘର ଥାନା ମାଧ୍ୟମରେ ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ସଂଘକୁ ସୂଚନା ମିଳିଛି।ଏହି ମାମଲାରେ କୌଣସି ରାଜନୈତିକ ଚାପ କାମ କରୁଛି କି ନାହିଁ, ତାହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ଜିଏସ୍‌ୟୁ ପକ୍ଷରୁ ଦାବି କରାଯାଇଛି। ସଂଘର ଅଭିଯୋଗ, ଜଣେ ସାଧାରଣ ଯୁବକଙ୍କ କ୍ଷେତ୍ରରେ ପୁଲିସ ତତ୍ପରତା ଦେଖାଉଥିବା ବେଳେ ଗୁରୁତର ଅଭିଯୋଗରେ ମାମଲା ରୁଜୁ ହୋଇଥିବା ଅଭିଯୁକ୍ତଙ୍କ ମାମଲାରେ ବିଳମ୍ବ କାହିଁକି ବୋଲି ପ୍ରଶ୍ନ ଉଠିଛି।ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାନଗଲେ ଆଗାମୀ ଦିନରେ ରାଇଘର ବ୍ଲକ୍‌ ବନ୍ଦ ଏବଂ ଆବଶ୍ୟକ ପଡ଼ିଲେ ନବରଙ୍ଗପୁର ଜିଲ୍ଲା ବନ୍ଦ କରାଯିବ ବୋଲି ଛାତ୍ର ସଂଘ ଚେତାବନୀ ଦେଇଛି।ତେବେ ଜିଏସ୍‌ୟୁ ପକ୍ଷରୁ ଉଠାଯାଇଥିବା ଅଭିଯୋଗ ଓ ରାଜନୈତିକ ଚାପ ସମ୍ପର୍କିତ ଦାବି ଉପରେ ପୁଲିସର ଅଧିକୃତ ପ୍ରତିକ୍ରିୟା ଏବଂ ଅଭିଯୁକ୍ତ ସନ୍ତୋଷ ମହାପାତ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ମାମଲା ରୁଜୁର ଏକ ମାସରୁ ଅଧିକ ସମୟ ପରେ ମଧ୍ୟ ଗିରଫ ନହେବା ଘଟଣା ଏବେ ରାଇଘରରେ ଆଇନଶୃଙ୍ଖଳା ଓ ପୁଲିସର କାର୍ଯ୍ୟପ୍ରଣାଳୀକୁ ନେଇ ନୂଆ ପ୍ରଶ୍ନ ଉଠାଇଛି।