ନକଲି RTI କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF

ଭୁବନେଶ୍ୱର : ନକଲି RTI କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF । ନିଜକୁ ସୂଚନା ଅଧିକାର କର୍ମୀ ବୋଲି ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରିବା ସହ ଚାକିରି ଆଶାୟୀ, କ୍ରଶର ଲାଇସେନ୍ସ, ମଦ ଲାଇସେନ୍ସ, ବଦଳି ଓ ଚାକିରି ଦେବାକୁ କହି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥି ଠକ କିଶୋର ମିଶ୍ର | ଠକ କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କରାଯାଇଛି । ଏଥିସହ ତା ନିକଟରୁ ନକଲି ଆଇଡେଣ୍ଟି କାର୍ଡ ସମେତ ଅନ୍ୟ କାଗଜ ଜବତ କରିଛି STF ।

ସୂଚନାନୁସାରେ, କ୍ରସର ଲାଇସେନ୍ସ, ମଦ ଦୋକାନ ଲାଇସେନ୍ସ ଓ ସରକାରୀ ବଦଳି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକୁ ଥିଲା ଧୂର୍ତ୍ତ କିଶୋର ମିଶ୍ର । ତଦନ୍ତ ସମୟରେ ତା ବ୍ୟାଙ୍କ ଆକାଉଣ୍ଟରୁ ୨ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ପ୍ରମାଣ ପାଇଛି ଏସଟିଏଫ । ୨ ରୁ ୩ବର୍ଷ ମଧ୍ୟରେ ଏହି ଟ୍ରାନଯାକ୍ସନ ହୋଇଥିବା STF ଜାଣିବାକୁ ପାଇଛି ।

ଅଭିଯୁକ୍ତ କିଶୋର ମିଶ୍ରଙ୍କୁ ଗିରଫ ପରେ କୋରାପୁଟ ଏସଡିଜେଏମରେ ହାଜର କରାଯାଇଥିଲା । କିଶୋରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ସହ ଗ୍ୟାଙ୍ଗରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯିବ ।