SIR ପରେ ଭୋଟର ତାଲିକାରେ ନାମ ଯୋଡ଼ିବାକୁ ସ୍ୱତନ୍ତ୍ର ଅଭିଯାନ। ଭୋଟର ତାଲିକାରୁ ବାଦ ପଡ଼ିଥିବା ଓ ପ୍ରଥମଥର ଭୋଟରଙ୍କ ନାମ ଯୋଡ଼ିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ଅଭିଯାନ। ଘରେ ଘରେ ଯାଇ ଯାଞ୍ଚ କରିବେ BLO, ମାସକ ମଧ୍ୟରେ ପ୍ରତି ବୁଥ୍ରେ ୨୦–୨୫ ଜଣଙ୍କ ନାମ ଯୋଡ଼ିବାକୁ ଲକ୍ଷ୍ୟ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ DEO, Collector, BMC କମିଶନର ଏବଂ EROମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୁଥ୍ ଲେଭେଲ୍ ଅଫିସର (BLO) ମାନେ ବର୍ତ୍ତମାନର ଭୋଟର ତାଲିକାକୁ SIR ପୂର୍ବର ତାଲିକା ସହ ତୁଳନା କରିବେ। ପୂର୍ବ ତାଲିକାରେ ନାମ ଥିଲେ ମଧ୍ୟ ବର୍ତ୍ତମାନର ତାଲିକାରେ ନଥିବା ଭୋଟରଙ୍କ ଏକ ତାଲିକା ପ୍ରସ୍ତୁତ କରାଯିବ। ଚିହ୍ନଟ ହୋଇଥିବା ଭୋଟରଙ୍କ ଘରକୁ BLOମାନେ ଯାଇ House-to-House (H2H) ଭିଜିଟ୍ କରିବେ। ସେମାନଙ୍କ ବର୍ତ୍ତମାନ ସ୍ଥିତି ଯାଞ୍ଚ କରି ଯୋଗ୍ୟ ଥିଲେ ଭୋଟର ତାଲିକାରେ ନାମ ସାମିଲ ପାଇଁ Form-6 ଦାଖଲରେ ସହଯୋଗ କରିବେ। BLOମାନଙ୍କ ଦ୍ୱାରା ପ୍ରସ୍ତୁତ ତାଲିକାକୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର BLA (Booth Level Agent) ମାନଙ୍କ ସହ ଅଂଶୀଦାର କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଭରାଯାଇଥିବା Form-6 ଏବଂ କ୍ଷେତ୍ର ଯାଞ୍ଚ ରିପୋର୍ଟ ସମ୍ପୃକ୍ତ EROଙ୍କ ନିକଟରେ ଦାଖଲ କରାଯିବ। ନିର୍ବାଚନ ଆଇନ ଓ ନିୟମ ଅନୁସାରେ EROମାନେ ଆବେଦନ ଉପରେ ଆବଶ୍ୟକ ପଦକ୍ଷେପ ନେବେ।ଅଭିଯାନ ଶେଷ ହେବା ପରେ ବୁଥ୍ୱାଇଜ୍ ତାଲିକା ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଦିଆଯିବ, ଯାହା ମାଧ୍ୟମରେ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କ ନାମ ଯୋଡ଼ିବା ପ୍ରକ୍ରିୟାରେ ସହଯୋଗର ସୁଯୋଗ ରହିବ। ଭୋଟର ତାଲିକାରେ ନାମ ସାମିଲ ପାଇଁ Booth Level Camp ଆୟୋଜନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ରାତ୍ରି ଆଶ୍ରୟସ୍ଥଳ, ଶ୍ରମିକ ବସ୍ତି, ଗୃହହୀନ ଓ ଅନ୍ୟାନ୍ୟ ଅବହେଳିତ ବର୍ଗର ଲୋକଙ୍କ ପାଇଁ ଆବଶ୍ୟକ ହେଲେ ସ୍ୱତନ୍ତ୍ର ଶିବିର କରାଯିବ।