ନିଜ ଅପହରଣର ନାଟକ କରି ବାପାକୁ ମାରୁଥିଲା ଚୂନ । ସାଙ୍ଗମାନଙ୍କ ସହ କରୁଥିଲା ମସ୍ତି । ମୁକୁଳାଇବା ପାଇଁ ମାଗୁଥିଲା ୯୦ ଲକ୍ଷ । ହେଲେ ପୋଲିସ ଫୋନ୍ ଟ୍ରାକ୍ କରିବା ପରେ ସବୁ ସତ ସାମ୍ନାକୁ ଆସିଛି । କର୍ଣ୍ଣାଟକର ହାସନ ଜିଲ୍ଲାର ଏ ହି ଘଟଣା ଘଟିଛି। ମନୀଷ ନିଜ ବାପା ମନୋହର ପଟେଲଙ୍କ ଠାରୁ ଟଙ୍କା ଆଦାୟ ପାଇଁ ଦୁଇ ସହଯୋଗୀଙ୍କ ସହ ମିଶି ଏହି ନାଟକ ରଚିଥିଲେ । ପୂରା ଘଟଣାଟି ଥିଲା ଏମିତି, ମନୀଷ କୌଣସି କାମରେ ବାହାରକୁ ଯାଇ ଥିଲେ । ପରଦିନ ସକାଳେ ତାଙ୍କ ନମ୍ବରରୁ ବାପାଙ୍କ ପାଖକୁ ଏକ ହ୍ୱାଟସ୍ଆପ୍ କଲ୍ ଆସିଥିଲା । ଦୁଇଜଣ ବ୍ୟକ୍ତି ମନୋହରଙ୍କୁ କହିଲେ, ମନୀଷଙ୍କୁ ଅପହରଣ କରାଯାଇଛି ଏବଂ ଛାଡ଼ିବା ପାଇଁ ୯୦ ଲକ୍ଷ ଟଙ୍କା ଦରକାର ।

ଅପହରଣର କଥା ଶୁଣି ଭୟରେ ମନୋହର ତୁରନ୍ତ ପୋଲିସର ସହାୟତା ନେଇଥିଲେ । ଥାନାରେ ଅଭିଯୋଗ କରିବା ପରେ ପୋଲିସ ଫୋନ୍ ଟ୍ରାକ୍ କରି ହାସନର ଏକ କୋଠାରେ ପହଞ୍ଚିଥିଲା । ସେଠାରେ ଅପହୃତ ମନୀଷଙ୍କୁ ଖୋଜିବା ବଦଳରେ ତିନିଜଣଙ୍କୁ ଆରାମରେ ଶୋଇଥିବାର ଦେଖିଥିଲା ପୋଲିସ । ପରେ ପୋଲିସର ପଚରାଉଚରା ପରେ ସତ ସାମ୍ନାକୁ ଆସିଥିଲା। ବ୍ୟବସାୟରେ ଟଙ୍କା ହରାଇ ଋଣରେ ପଡ଼ିଥିବା ମନୀଷ ବାପାଙ୍କଠାରୁ ଟଙ୍କା ପାଇବା ପାଇଁ ନିଜ ଅପହରଣର ମିଛ ନାଟକ ରଚିଥିଲା ବୋଲି ମାନିଛି । ମାମଲା ରୁଜୁ ପରେ ମନୀଷଙ୍କ ସମେତ ତିନିଜଣଙ୍କୁ ପୋଲିସ ଗିରଫ କରିଛି ।