ସେନା ଅଧିକାରୀରୁ ସାଧୁ ଜୀବନ, ପ୍ରେମାନନ୍ଦ ମହାରାଜଙ୍କ ନିକଟତମ ଶିଷ୍ୟ ନବଲ ନାଗରୀ ବାବା

ବୃନ୍ଦାବନରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଜଣେ ଶିଷ୍ୟ ଦୀପକ ଲୋଧି ଓରଫ ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାରେ ରହିଛି। ସେପ୍ଟେମ୍ବର ୨୫ ତାରିଖରେ ଗୁରୁ କୃପା କୁଞ୍ଜ ଆଶ୍ରମର ଚତୁର୍ଥ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଖବର ମିଳିଛି। ଏହି ଘଟଣାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିବା ପରେ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟମାନଙ୍କୁ ନେଇ ଆଲୋଚନା ଜୋର୍‌ ଧରିଛି। ଏହି ପ୍ରସଙ୍ଗରେ ମହାରାଜଙ୍କ ଅତି ନିକଟତମ ଶିଷ୍ୟ ନବଲ ନାଗରୀ ବାବାଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି।

ବୃନ୍ଦାବନର କେଲି କୁଞ୍ଜ ଆଶ୍ରମରେ ପ୍ରେମାନନ୍ଦ ମହାରାଜଙ୍କ ଭକ୍ତମାନଙ୍କ ସହ ଆଲୋଚନା ବା ଦରବାର ସମୟରେ ନବଲ ନାଗରୀ ବାବା ପ୍ରାୟତଃ ତାଙ୍କ ପାଖରେ ଉପସ୍ଥିତ ରହିଥାନ୍ତି। ଭକ୍ତମାନେ ପଠାଉଥିବା ଚିଠି ପଢ଼ି ମହାରାଜଙ୍କୁ ଶୁଣାଇବାର ଦାୟିତ୍ୱ ମଧ୍ୟ ସେ ତୁଲାଇଥାନ୍ତି। ମହାରାଜଙ୍କ ସହ ତାଙ୍କର ଏପରି ଉପସ୍ଥିତି ବିଭିନ୍ନ ଭିଡିଓରେ ଦେଖିବାକୁ ମିଳେ।

ତେବେ ନବଲ ନାଗରୀ ବାବାଙ୍କ ଜୀବନଯାତ୍ରା ଅନ୍ୟ ଅନେକ ସାଧୁଙ୍କଠାରୁ ଭିନ୍ନ। ସାଧୁ ଜୀବନ ଆପଣାଇବା ପୂର୍ବରୁ ସେ ଭାରତୀୟ ସେନାରେ ଜଣେ ଅଧିକାରୀ ଥିଲେ। ପଠାନକୋଟରେ ଜନ୍ମିତ ନବଲ ନାଗରୀ ବାବାଙ୍କ ପିତା ମଧ୍ୟ ସେନାରେ ଅଧିକାରୀ ଥିଲେ। ତେଣୁ ପିଲାଦିନରୁ ସେ ସେନାର ପରିବେଶରେ ବଢ଼ିଥିଲେ। ପରେ ଦେଶସେବା ଲକ୍ଷ୍ୟରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ୨୦୦୮ରୁ ୨୦୧୭ ପର୍ଯ୍ୟନ୍ତ ସେ ସେନାରେ କାର୍ଯ୍ୟ କରିଥିବା କୁହାଯାଏ।

ନବଲ ନାଗରୀ ବାବାଙ୍କ କହିବା ଅନୁଯାୟୀ, ୨୦୧୬ରେ ପ୍ରଥମ ଥର ପାଇଁ ସେ ବୃନ୍ଦାବନ ଆସିଥିବା ବେଳେ ତାଙ୍କର ପୋଷ୍ଟିଂ କାର୍ଗିଲରେ ଥିଲା। ଏହି ସମୟରେ ପ୍ରେମାନନ୍ଦ ମହାରାଜଙ୍କ ସହ ସାକ୍ଷାତ ହେବା ପରେ ସେ ତାଙ୍କ ପ୍ରବଚନ ଶୁଣିବା ଆରମ୍ଭ କରିଥିଲେ। କ୍ରମେ ତାଙ୍କ ମନରେ ଆଧ୍ୟାତ୍ମିକ ଜୀବନ ପ୍ରତି ଆକର୍ଷଣ ବଢ଼ିଥିଲା। ଶେଷରେ ୨୦୧୭ରେ ସେ ସେନା ଚାକିରି ଛାଡ଼ି ଆଧ୍ୟାତ୍ମିକ ମାର୍ଗକୁ ଆପଣାଇଥିଲେ।

ବର୍ତ୍ତମାନ ନବଲ ନାଗରୀ ବାବା ପ୍ରେମାନନ୍ଦ ମହାରାଜଙ୍କ ନିକଟତମ ଶିଷ୍ୟମାନଙ୍କ ମଧ୍ୟରେ ଗଣାଯାଉଛନ୍ତି। ମହାରାଜଙ୍କ ବିଭିନ୍ନ ପ୍ରବଚନ ଓ ଭିଡିଓରେ ତାଙ୍କୁ ଦେଖିବାକୁ ମିଳେ। କେବଳ ନବଲ ନାଗରୀ ବାବା ନୁହନ୍ତି, ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଇଞ୍ଜିନିୟର, ପ୍ରଫେସର, ଡାକ୍ତର ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭଳି ବିଭିନ୍ନ ବୃତ୍ତିରେ ନିୟୋଜିତ ଲୋକ ମଧ୍ୟ ରହିଛନ୍ତି।