ମହେନ୍ଦ୍ରଗିରିରେ ସଫଳତାର ସହ ଶେଷ ହେଲା ୨୩ତମ ଜାତୀୟ MTB ସାଇକ୍ଲିଂ ଚାମ୍ପିଅନଶିପ୍

ଗଜପତି ଜିଲ୍ଲା ମହେନ୍ଦ୍ରଗିରିସ୍ଥିତ କୋଇନପୁର ଗ୍ରାମରେ ଗତ ଚାରି ଦିନ ଧରି ଚାଲିଥିବା ୨୩ତମ ଜାତୀୟ MTB ସାଇକ୍ଲିଂ ଚାମ୍ପିଅନଶିପ୍-୨୦୨୬ ଆଜି ସଫଳତାର ସହ ଉଦ୍‌ଯାପିତ ହୋଇଛି। ମହେନ୍ଦ୍ରଗିରିର ଦୁର୍ଗମ ଓ ଚ୍ୟାଲେଞ୍ଜିଂ ପାହାଡ଼ିଆ ଟ୍ରାକ୍‌ରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ସାଇକ୍ଲିଷ୍ଟମାନେ ନିଜର ଦକ୍ଷତା, ସାହସ ଓ ସହନଶୀଳତାର ଚମତ୍କାର ପ୍ରଦର୍ଶନ କରିଥିଲେ।

ଚାମ୍ପିଅନଶିପ୍‌ର ଅନ୍ତିମ ଦିନର କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଏବଂ ଓଡ଼ିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀ ଶ୍ରୀକାନ୍ତ ତରାଇ, IAS ଉପସ୍ଥିତ ରହି କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ। ସାମଗ୍ରିକ ପଦକ ତାଲିକାରେ ତାମିଲନାଡୁ ଦମଦାର ପ୍ରଦର୍ଶନ କରି ଚାମ୍ପିଅନ୍ ହୋଇଛି। ତାମିଲନାଡୁ ୪ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ମୋଟ ୧୪ଟି ପଦକ ହାସଲ କରିଛି। ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ମୋଟ ୧୩ଟି ପଦକ ଜିତି କର୍ଣ୍ଣାଟକ ରନର୍ସ-ଅପ୍ ହୋଇଥିବା ବେଳେ ମହାରାଷ୍ଟ୍ର ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୧ଟି କାଂସ୍ୟ ସହ ତୃତୀୟ ସ୍ଥାନ ହାସଲ କରିଛି।

ବ୍ୟକ୍ତିଗତ ପ୍ରଦର୍ଶନରେ ତାମିଲନାଡୁର ମେନ୍ ଜୁନିୟର ସାଇକ୍ଲିଷ୍ଟ ଆଣ୍ଟୋନି ରାଜଙ୍କୁ Best Men Cyclist ଭାବେ ଚୟନ କରାଯାଇଛି। ସେ ୨ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ ଜିତି ଏହି ସମ୍ମାନ ହାସଲ କରିଛନ୍ତି। ସେହିପରି ମହାରାଷ୍ଟ୍ରର ମହିଳା ଏଲିଟ୍ ସାଇକ୍ଲିଷ୍ଟ ପ୍ରଣିତା ସୋମନ୍‌ଙ୍କୁ Best Women Cyclist ଭାବେ ସମ୍ମାନିତ କରାଯାଇଛି। ସେ ୨ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ସହ XCEରେ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ତାମିଲନାଡୁ ଦଳକୁ Best Fair Play Team ଭାବେ ଚୟନ କରାଯାଇଛି।

ଜାତୀୟ ସ୍ତରର ଏହି ବୃହତ୍ ଆୟୋଜନକୁ ସଫଳ କରିବାରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହଯୋଗକୁ ସଂଗଠନ ପକ୍ଷରୁ ବିଶେଷ କୃତଜ୍ଞତା ଜଣାଯାଇଛି। ଏହାସହ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଦସ୍ୟ, ବୈଷୟିକ ଅଧିକାରୀ, ଆୟୋଜକ କମିଟି, କୋଇନପୁର ଗ୍ରାମପଞ୍ଚାୟତର ସଦସ୍ୟ ଓ ଗ୍ରାମବାସୀ, ରେଡ୍‌କ୍ରସ୍ ଟିମ୍, ଜିଲ୍ଲା ପ୍ରଶାସନ, ପୋଲିସ୍ ବିଭାଗ, ଚିକିତ୍ସା ଦଳ, ଅଗ୍ନିଶମ ବାହିନୀ, ମାର୍ଶାଲ୍, ସ୍ୱେଚ୍ଛାସେବୀ ଓ ସମସ୍ତ ସହଯୋଗୀ ଦଳଙ୍କୁ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।

ବିଶେଷକରି ଆସୋସିଏସନ୍‌ର ଷ୍ଟେଟ୍ ଟେକ୍ନିକାଲ୍ ଅଫିସିଆଲ୍‌ମାନଙ୍କ ନିରନ୍ତର ପରିଶ୍ରମ ଓ ସମର୍ପଣ ଯୋଗୁଁ ଏହି ବୃହତ୍ ଜାତୀୟ ଆୟୋଜନ ସଫଳ ହୋଇପାରିଥିବା ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ମହେନ୍ଦ୍ରଗିରିର ଦୁର୍ଗମ ପାହାଡ଼ିଆ ମାଟିରେ ଚାରି ଦିନ ଧରି ଚାଲିଥିବା ଏହି ଜାତୀୟ ସାଇକ୍ଲିଂ ମହାକୁମ୍ଭ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ସ୍ମରଣୀୟ ଅଧ୍ୟାୟ ଛାଡ଼ିଯାଇଛି। କ୍ରୀଡ଼ାବିତ୍‌ଙ୍କ ରୋମାଞ୍ଚକର ପ୍ରଦର୍ଶନ, ଗ୍ରାମବାସୀଙ୍କ ଆତିଥ୍ୟ ଓ ସମସ୍ତଙ୍କ ମିଳିତ ପ୍ରୟାସ ଏହି ଚାମ୍ପିଅନଶିପ୍‌କୁ ସଫଳତାର ଶିଖରରେ ପହଞ୍ଚାଇଛି।