ମହାରାଷ୍ଟ୍ର:ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ । ଫେସବୁକ୍ ଲାଇଭ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଠାକରେ । ତାଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ମହାନାଟକର ଅନ୍ତ ଘଟିଛି । ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବୀସ ପୁଣିଥରେ ସରକାର ଗଢିବାର ପ୍ରସ୍ତୁତି ଜୋରଦାର କରିଦେଇଛନ୍ତି । ବିଜେପିର ପ୍ରମୁଖ ନେତାମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଛନ୍ତି ଦେବେନ୍ଦ୍ର ଫଡନାବୀସ । ଆଜି ରାତିରେ ହିଁ ସରକାର ଗଢିବା ଉପରେ ବଡ ନିଷ୍ପତ୍ତି ନିଆଯାଇପାରେ । ଫଡନାବୀସ ବିଦ୍ରୋହୀ ଏକନାଥ ସିନ୍ଦେଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ସିନ୍ଦେଙ୍କ ସମର୍ଥନରେ ୪୦ରୁ ଉର୍ଦ୍ଧ୍ୱ ବିଧାୟକ ରହିଛନ୍ତି । କୁହାଯାଉଛି ଯେ ଜୁଲାଇ ୧ ତାରିଖରେ ଫଡନାବୀସ ଶପଥ ନେଇପାରନ୍ତି । ଉଦ୍ଧବଙ୍କ ଇସ୍ତଫା ପରେ ମହାବିକାଶ ଅଘାଡି ମେଣ୍ଟ ସରକାର ଭାଙ୍ଗିଯାଇଛି । ଏବେ ନୂଆ ସରକାର କିଏ ଗଢିବ ସମସ୍ତଙ୍କ ନଜର ତା ଉପରେ ରହିଛି । ସବୁଠୁ ବଡ କଥା ହେଉଛି ବିଦ୍ରୋହୀ ସିନ୍ଦେଙ୍କ ଗୋଷ୍ଠୀ କାହାକୁ ସମର୍ଥନ କରିବେ । କାରଣ ଯଦି ସେମାନେ ଦଳରୁ ଇସ୍ତଫା ନଦେଉଛନ୍ତି ତେବେ ବିଜେପିକୁ ସମର୍ଥନ କରିପାରିବେନି । ଶିବସେନାର ହ୍ୱିପକୁ ମାନି ବିଧାନସଭାରେ ଶିବସେନାକୁ ସମର୍ଥନ କରିବାକୁ ପଡିବ । ଯଦି ଅନୁପସ୍ଥିତ ରୁହନ୍ତି ତେବେ ସେମାନଙ୍କର ବିଧାନସଭା ସଦସ୍ୟତା ରଦ୍ଦ ହେବ । ଏପରି ସ୍ଥିତିରେ ସେମାନେ ଶିବସେନାରୁ ଇସ୍ତଫା ଦେବା ଛଡା ଆଉ କୌଣସି ବିକଳ୍ପ ସେମାନଙ୍କ ପାଖରେ ନାହିଁ ।