ଗ୍ରାମରେ ହାତୀ ଉପଦ୍ରବ, ଭାଙ୍ଗିଲେ ୨ଘର

ରାଇରଙ୍ଗପୁର / ସତ୍ୟନାରାୟଣ ପଲ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ରଘୁପୁର ପଞ୍ଚାୟତର ନୟାବସନ୍ତପୁର,ଡୁମ୍‌କା ସାହି ଗ୍ରାମରେ ବିଳମ୍ବିତ ରାତିରେ ଦୁଇଟି ଗୋଠଛଡ଼ା ହାତୀ ପ୍ରବେଶ କରି ଦୁଇଟି ଚାଳ ଘର ଭାଙ୍ଗି ଦେଛନ୍ତି । ସୂଚନା ମୁତାବକ ବେତନଟୀ ରେଞ ଅଞ୍ଚଳରେ ଥିବା କ୍ଷୀରପଦା ବଡାମ ଜଙ୍ଗଲ,ଫୁଲଝୁରୀ,ନଡପୁର,ତିଳପଦା,ବର୍ତ୍ତନା,ବାଛୁରୀପଡା ଏବଂ କେଶୁରା ଅଞ୍ଚଳରେ ବର୍ଷ ତମାମ ହାତୀ ବିଚରଣ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ପ୍ରଥମେ ଏହି ହାତୀ ବର୍ତ୍ତନା ଜଙ୍ଗଲରୁ ମଛପଦା ଅଭିମୁଖେ ବିଚରଣ କରି ଆସୁଥିଲେ ପରେ ବିଳମ୍ବିତ ରାତିରେ ନୟାବସନ୍ତପୁର,ଡୁମ୍‌କା ସାହିକୁ ପ୍ରବେଶ କରିଥିଲେ।

ଅଜୟ ଜଣେ ଗରିବ ପରିବାରର ହୋଇଯାଇଥିବାରୁ ପରିବାର ଚଳାଇବା ପାଇଁ ବାହାରେ ଦାଦନ ଖଟନ୍ତି।ଘଟଣା ଦିନ ଅଜୟଙ୍କ ପତ୍ନୀ ବିଣାପାଣୀ ବେହେରା ଥିଲେ। ସେ ହାତୀ ଆସିଥିବାର ଜାଣି ଜୀବନ ବଞ୍ଚାଇବା ପାଇଁ ନିଜ ପରିବାରବର୍ଗଙ୍କୁ ନେଇ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ। ଏହି ଅଞ୍ଚଳ ମାନଙ୍କରେ ବର୍ଷ ତମାମ ହାତୀ ବିଚରଣ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ଏବଂ ଚାଳଛପର ଘରେ ବସବାସ କରୁଥିବା ପରିବାରଙ୍କୁ ବାସହରା କରିଦେଉଛନ୍ତି। ରାତିହେଲେ ଭୟଭୀତ ଭାବେ ରହୁଛନ୍ତି ଗ୍ରାମବାସୀ। ବନବିଭାଗ ହାତୀ ଉପରେ ତୀକ୍ଷ୍ଣ ନଜର ରଖିଥିଲେ ମଧ୍ୟ ହାତୀ ଘଉଡ଼ାଇବାରେ ବିଫଳ ହେଉଛି।ହାତୀ ଉପଦ୍ରବରେ ବେସାହାରା ହୋଇଥିବା ଏହି ପରିବାର ବର୍ଷାଋତୁରେ କିପରି ମୁଣ୍ଡ ଗୁଞ୍ଚିବେ ସେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି।