ଶ୍ରାବଣ ଶେଷ ସୋମବାରରେ ଶୈବ ପୀଠରେ କାଉଡ଼ିଆଙ୍କ ନାହିଁ ନଥିବା ଭିଡ଼

ଭୁବନେଶ୍ୱର: ଶ୍ରାବଣ ମାସର ଶେଷ ସୋମବାର ପାଇଁ ଆଜି ସାରା ଓଡିଶାର ଶୈବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। କାଉଡ଼ିଆ ଏବଂ ନିୟମିତ ଭକ୍ତମାନେ ପାଣି ଅର୍ପଣ ପାଇଁ ଧାଡ଼ିରେ ଠିଆ ହୋଇ ଦର୍ଶନ କରଥିଲେ। ସକାଳୁ ସକାଳୁ ବିଭିନ୍ନ ଶୈବ ମନ୍ଦିରରେ କାଉଡ଼ିଆ ତଥା ଭକ୍ତମାନେ ମନ୍ଦିରରେ ପହଞ୍ଚିବା ଆରମ୍ଭ କରିଥିଲେ। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିର, ନୟାଗଡର ଲଡୁବାବା ମନ୍ଦିର, ଢେଙ୍କାନାଳର କପିଳାଶ ମନ୍ଦିର ଏବଂ କଟକର ଧବଳେଶ୍ୱର ମନ୍ଦିରରେ ବଡ଼ ସମାଗମ ହୋଇଥିବା ସୂଚନା ମିଳିଛି। ପ୍ରଶାସନ ତରଫରୁ ପ୍ରମୁଖ ତୀର୍ଥସ୍ଥଳ ଗୁଡ଼ିକରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା।

ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼

କଟକର ଧବଳେଶ୍ୱର ମନ୍ଦିରରେ ଭକ୍ତ ଏବଂ କାଉଡ଼ିଆଙ୍କ ଏକ ବଡ଼ ସମାଗମ ହୋଇଥିଲା। କାଉଡ଼ିଆ ମାନେ ଧାଡ଼ିରେ ଛିଡ଼ା ହୋଇ ପ୍ରଭୁ ଧବଳେଶ୍ୱରଙ୍କୁ ଜଳ ଅର୍ପଣ ସହ ଦର୍ଶନ କରିଥିଲେ । ଅନ୍ୟପକ୍ଷେ ନିୟମିତ ଭକ୍ତଙ୍କ ଦର୍ଶନ ଏବଂ ଜଳ ଲାଗି ନିମନ୍ତେ ଧାଡ଼ି ଦର୍ଶନର ବ୍ୟବସ୍ଥା ହୋଇଥିଲେ। ରାଜ୍ୟ ସାରା ସମସ୍ତ ଶୈବ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଅନେକ ମନ୍ଦିରରେ ଭକ୍ତ ମାନେ ଜଳ ଅର୍ପଣ କରିବା ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ।

ଏଥର ଲିଙ୍ଗରାଜରେ କମ୍ ଭକ୍ତ

ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଶ୍ରାବଣ ମାସର ପୂର୍ବ ତିନି ସୋମବାର ତୁଳନାରେ ଶେଷ ସୋମବାରରେ ଭକ୍ତଙ୍କ ସଂଖ୍ୟା କମ୍ ଥିଲା। ତଥାପି, ବହୁ ସଂଖ୍ୟକ କାଉଡ଼ିଆ ମନ୍ଦିର ପରିଦର୍ଶନ କରିଥିଲେ । ଶ୍ରାବଣ ମାସର ଶେଷ ସୋମବାରରେ ସାରା ଓଡ଼ିଶାର ଶିବ ମନ୍ଦିରଗୁଡ଼ିକରେ ଭକ୍ତମାନେ ସେମାନଙ୍କର ଦର୍ଶନ ଜାରି ରଖିଛନ୍ତି । ଭିଡ଼କୁ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।