ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧ ଉତ୍ସବ ଓ ବଳିଦାନ ଦିବସ ମହାଆଡମ୍ବରରେ ପାଳନ କଲା ବିଶ୍ୱ ହିନ୍ଦୁ ପରିଷଦ
କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧ ଉତ୍ସବ ଓ ବଳିଦାନ ଦିବସ ମହାଆଡମ୍ବରରେ ପାଳିତ ହୋଇଛି। ଏହି ଅବସରରେ ସହରରେ ଭବ୍ୟ ଶୋଭାଯାତ୍ରା ସହ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧ ଉତ୍ସବ ଓ ବଳିଦାନ ଦିବସ ଅବସରରେ ଫୁଲବାଣୀ ସହର ଉତ୍ସବମୁଖର ହୋଇଉଠିଥିଲା। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ବିରାଟ ସଂକୀର୍ତ୍ତନ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।ଶୋଭାଯାତ୍ରାରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କୀର୍ତ୍ତନ ଦଳ ସାମିଲ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଏଥିରେ ଯୋଗଦେଇଥିଲେ। ସହର ପରିକ୍ରମା କରି ଶୋଭାଯାତ୍ରା ଏ.ଜେ.ଓ. ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ନିକଟରେ ପହଞ୍ଚିଥିଲା।ପରେ ଏ.ଜେ.ଓ. ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଏକ ବିଶାଳ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସଭାପତି ମହେଶ ସାହୁ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଜଳେଶପଟା ଆଶ୍ରମର ମୁଖ୍ୟ ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ, ଚକାପାଦ ଆଶ୍ରମର ପରିଚାଳକ ସ୍ୱାମୀ କୃଷ୍ଣାନନ୍ଦ ପୁରୀଙ୍କ ସମେତ ବହୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ସଭା ମଞ୍ଚରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଭବ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପରେ ତାଙ୍କ ଜୀବନ, ସମାଜସେବା ଓ ଅବଦାନକୁ ସ୍ମରଣ କରି ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି ସ୍ମୃତି ସଭାରେ ବକ୍ତାମାନେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଦର୍ଶ, ସେବା ଓ ସମାଜ ପାଇଁ ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ୱାମୀଜୀଙ୍କ ଆଦର୍ଶକୁ ଆଗକୁ ନେବା ସହ ତାଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ସମସ୍ତେ ଆହ୍ୱାନ ଦେଇଥିଲେ।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିରେ ଆୟୋଜିତ ଏହି ଶ୍ରାଦ୍ଧ ଉତ୍ସବ ଓ ବଳିଦାନ ଦିବସରେ ଫୁଲବାଣୀ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ବିରାଟ ଶୋଭାଯାତ୍ରାଠାରୁ ଆରମ୍ଭ କରି ସ୍ମୃତି ସଭା ପର୍ଯ୍ୟନ୍ତ ସବୁଠି ଶ୍ରଦ୍ଧାଳୁଙ୍କ ଉତ୍ସାହ ଓ ଭକ୍ତି ପରିଲକ୍ଷିତ ହୋଇଥିଲା।