କଟକ: ସାରା ରାଜ୍ୟରେ ଗତ ଦୁଇ ଦିନ ହେବ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ଲଘୁଚାପ ଜନିତ ପ୍ରବଳ ବର୍ଷା । ତେଣୁ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଆଡୁ ଅନେକ ଅଳିଆ ଆବର୍ଜନା ଇତ୍ୟାଦି ପାଣିରେ ଭାସୁଥିବା ଦେଖିବାକୁ ମିଳୁଛି । ତେବେ ଏହି ସମୟରେ କଟକ ଜିଲ୍ଲା ଫ୍ରେଣ୍ଡ କଲୋନୀସ୍ଥିତ ଏକ କେନାଲରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ କଟକ ମଙ୍ଗଳାବାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ପୋଲିସ ଏ ଘଟଣା ନେଇ ଅଧିକ ଛାନଭିନ ଜାରି ରଖିଛି ।