(ରିପୋର୍ଟସ ଟୁଡେ) :ଦଶନ୍ଧି ଦଶନ୍ଧି ଧରି ମନୋରଞ୍ଜନର ଖୋରାକ୍ ଯୋଗାଇବା ପାଇଁ ବିଭିନ୍ନ ସୁପରହିରୋ ଓ କମିକ୍ ଚରିତ୍ରଙ୍କୁ ତିଆରିକରିଥିବା ସ୍ରଷ୍ଟା ଷ୍ଟାନ୍ ଲିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୃ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଆମେରିକାରେ କମିକ୍ ବୁକ୍ ଦୁନିଆର ବାଦଶାହ ଷ୍ଟାନ୍ଙ୍କ କଳ୍ପନାରୁ ଜନ୍ମିତ ‘ସ୍ପାଇଡର ମ୍ୟାନ୍’ ଏବଂ ‘ଦି ହକ୍’ ପରି ଚରିତ୍ର ଆଜି ବିଶ୍ୱର ଘରେ ଘରେ ପରିଚିତ। ଏସବୁ ବ୍ୟତୀତ ମାର୍ଭଲ ଷ୍ଟୁଡିଓ ବ୍ୟାନରରେ ସେ ଅନେକ ଲୋକପ୍ରିୟ ଚରିତ୍ରକୁ ନେଇ କାହାଣୀ ରଚିବା ସହିତ ଫିଲ୍ମ ନିର୍ମାଣ କରିଛନ୍ତି।
ଗତ କିଛି ବର୍ଷ ହେଲା ସେ ଅସୁସ୍ଥ ଥିଲେ ଏବଂ ସୋମବାର ସକାଳେ ଲସ୍ଏଞ୍ଜେଲ୍ସଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଷ୍ଟାନ୍ଙ୍କ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ତାଙ୍କ ପିତା ସବୁସମୟରେ ତାଙ୍କ ପ୍ରଶଂସକମାନଙ୍କୁ ଶ୍ରଦ୍ଧା କରୁଥିଲେ। ବିଭିନ୍ନ ‘ଫ୍ୟାନ୍ ଇଭେଣ୍ଟରେ’ ତାଙ୍କ ଉପସ୍ଥିତି ଏହାକୁ ପ୍ରମାଣ କରିଆସିଛି।
ସ୍ପାଇଡରମ୍ୟାନ୍, ବ୍ଲାକ୍ ପାନ୍ଥର, ଏକ୍ସ-ମ୍ୟାନ୍ ଏବଂ ଫାଣ୍ଟାଷ୍ଟିକ୍-୪ ଆଦି ପ୍ରକଳ୍ପରେ ସେ ଅନ୍ୟାନ୍ୟ ଧୂରୀଣ ବ୍ୟକ୍ତିଙ୍କୁ ମଧ୍ୟ ଯୋଡ଼ିଥିଲେ। ଆଇରନ୍ ମ୍ୟାନ୍, ଥର୍ ଏବଂ ଡକ୍ଟର ଷ୍ଟ୍ରେଞ୍ଜ୍ ଆହୁରି ଅନେକ ଦଶନ୍ଧି ଧରି ତାଙ୍କୁ ଜନମାନସରେ ବଞ୍ଚାଇ ରଖିବ। ସେ ବେଶ୍ କିଛି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି। ପ୍ରସିଦ୍ଧ ‘ଆଭେଞ୍ଜର୍ସ-ଇନ୍ଫିନିଟି ୱାର୍’ ଫିଲ୍ମରେ ସେ ତିଆରି କରିଥିବା ଲୋକପ୍ରିୟ ଚରିତ୍ରସବୁକୁ ଦର୍ଶକମାନେ ଏକାଠି ଗୋଟିଏ ଫିଲ୍ମରେ ଦେଖିବାର ସୁଯୋଗ ପାଇଥିଲେ।