କ୍ୟାବିନେଟ ନିଷ୍ପତ୍ତି : ଏଣିକି ସରକାରୀ ଚାକିରୀ ପାଇଁ ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷ

ଭୁବନେଶ୍ୱର : ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୨ ଥିଲା, ଏବେ ଏହାକୁ ୪୨ କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି।  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ ।  ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା କିମ୍ବା ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ ତାହାକୁ ବାଦ ଦିଆଯାଇଛି । ଏହା ସହ ଯେଉଁ ପଦବୀ ପାଇଁ ସର୍ବୋଚ୍ଚ ସୀମା ଉଲ୍ଲେଖ କରାଯାଇଥିବ ତା’କୁ ବାଦ ଦିଆଯାଇଛି।

ସେହିଭଳି, ରାଜ୍ୟରେ କୃତ୍ରିମ ବୁଦ୍ଧିମତାକୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦେବାକୁ ଏଆଇ ନୀତିକୁ ଅନୁମୋଦନ ଦିଆଯାଇଛି। ଏହା ଅନୁସାରେ ଏଆଇ ମିଶନ ଓ ଏଆଇ ସେଲ ଆରମ୍ଭ କରାଯିବ। ଏଆଇ କ୍ଷେତ୍ରରେ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦିଆଯିବ। ତୃତୀୟରେ ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦିର ଉନ୍ନତିମୂଳକ କାର୍ଯ୍ୟ ଓ ଶୂନ୍ୟ ମଣ୍ଡପ ନିର୍ମାଣକୁ ଅନୁମୋଦନ ମିଳିଛି । ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଗତସିଂହପୁରରେ JSWର ନିଜସ୍ୱ ଜେଟି ପାଇଁ ଅନୁମତି ମିଳିଛି। ଏଥିପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମାକୁ ଅନୁମୋଦନ କରିଛି କ୍ୟାବିନେଟ। ଏହାଦ୍ବାରା ୩୪୫୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ମିଳିବ । ସେହିଭଳି ଓଡ଼ିଶା ଚକ୍ଷୁ ସେବା ପାଇଁ ୧୪୧ଟି ନୂଆ ପଦବୀ ସୃଷ୍ଟି ହେବ ଓ ପଦୋନ୍ନତି ଭିତରେ ୨୦୦ଟି ପଦବୀ କରାଯାଇଛି ।