Sambalpur: ସମ୍ବଲପୁରର କୋର୍ଟକୁ ପୁଣିଥରେ ବୋମା ଧମକ ମିଳିଥିବାରୁ ଚିନ୍ତା ବଢ଼ିଛି। କିଛି ଦିନ ବ୍ୟବଧାନ ପରେ ଆଉଥରେ ଇ-ମେଲ ଯୋଗେ ଏହି ଧମକ ଆସିଥିବା ଜଣାପଡ଼ିଛି। ଉକ୍ତ ଇ-ମେଲରେ କୋର୍ଟ ପ୍ରାଙ୍ଗଣରେ ୧୩ଟି ବୋମା ରହିଥିବା ଦାବି କରାଯାଇଛି। ଘଟଣା ସାମ୍ନାକୁ ଆସିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି। ଡଗ ସ୍କ୍ୱାଡ଼ ଓ ବମ ସ୍କ୍ୱାଡ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ସମ୍ପୂର୍ଣ୍ଣ ପରିସରକୁ ତଲାଶି କରାଯାଉଛି।
ଏହା ପୂର୍ବରୁ ମଧ୍ୟ ଦୁଇଥର ଏପରି ବୋମା ଧମକ ମିଳିଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଧରିପାରାଯାଇନାହିଁ। ବାରମ୍ବାର ଏପରି ଧମକ ମିଳୁଥିବାରୁ ଆଇନଜୀବୀମାନଙ୍କ ମଧ୍ୟରେ ଭୟ ଓ ଅଶାନ୍ତିର ପରିବେଶ ସୃଷ୍ଟି ହେଉଛି। କିଛି ଓକିଲ ମତ ପ୍ରକାଶ କରିଛନ୍ତି ଯେ, ଏହା ଜାଣିଶୁଣି ଭୟ ସୃଷ୍ଟି କରିବାର ଚେଷ୍ଟା ହୋଇପାରେ ଏବଂ ସାଇବର ବିଶେଷଜ୍ଞଙ୍କ ମାଧ୍ୟମରେ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ଆବଶ୍ୟକ। ଅନ୍ୟପଟେ, ତଦନ୍ତ ଚାଲିଥିବା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଏହିପରି ଧମକମୂଳକ ଇ-ମେଲ ନେଦରଲାଣ୍ଡ ଓ ଜର୍ମାନୀରୁ ଆସିଥିବା କଥା ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଥିଲା।