ଗିରଫ ହେଲେ ବଲିଉଡ଼ ଅଭିନେତ୍ରୀ ରାକ୍ଷୀ ସାୱନ୍ତ

ମୁମ୍ବାଇ: ଗିରଫ ହେଲେ ବଲିଉଡ଼ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ଆଦିଲ ଖାନଙ୍କ ସହ ନିଜ ବିବାହ ଓ ତାଙ୍କ ମାଆଙ୍କ ଅସୁସ୍ଥତାକୁ ନେଇ ସେ ଚିନ୍ତିତ ଥିବା ବେଳେ ଏବେ ତାଙ୍କୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ବିବାଦ ରାକ୍ଷୀଙ୍କ ପିଛା ଛାଡୁନି । ଗିରଫ ହୋଇଛନ୍ତି ରାକ୍ଷୀ। ଗୁରୁବାର ଅମ୍ବୋଲୀ ପୁଲିସ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି। ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ପୁଲିସ ରାକ୍ଷୀଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। କିଛି ସମୟ ପରେ ପୁଲିସ ରାକ୍ଷୀ ସାୱନ୍ତଙ୍କୁ ଅନ୍ଧେରୀ କୋର୍ଟରେ ହାଜର କରିବ। ରାକ୍ଷୀଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, କିଛି ଦିନ ପୂର୍ବରୁ ସେ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଆପତ୍ତିଜନକ ଭିଡିଓ ଓ ଫଟୋ ଭାଇରାଲ କରିଥିଲେ। ଏହାପରେ ଶର୍ଲିନ ଗତ ବର୍ଷ ରାକ୍ଷୀଙ୍କ ବିରୋଧରେ ପୁଲିସରେ ମାମଲା ଦାୟର କରିଥିଲେ। ଏବେ ଏହି ମାମଲାରେ ଶର୍ଲିନଙ୍କ ଅଭିଯୋଗ ପରେ ଆଜି ଅମ୍ବୋଲୀ ପୁଲିସ ରାକ୍ଷୀଙ୍କୁ ଗିରଫ କରିଛି।