(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବୁଢାବଳଙ୍ଗ ନଦୀର ହଳଦିଆ ଘାଟରେ ରବିବାର ସଂଧ୍ୟାରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଛି । ଡଙ୍ଗା ବୁଡିଯିବା ପରେ କିଛି ଯାତ୍ରୀ ପହଂରି କୂଳକୁ ଆସଥିଲେ । ଆଉ କିଛି ନିଖୋଜ ଅଛନ୍ତି । ପୁଲିସ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ କରୁଛନ୍ତି । କେହି ମୃତାହତ ନ ଥିବା ଖବର ରହିଛି । ଏହି ଡଙ୍ଗାରେ ୩୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ରେମୁଣା ବ୍ଲକ ହଳଦିଆ ଗ୍ରାମ ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀର ହଳଦିଆ ଘାଟରେ ରବିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟ୍ରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିଲା। ଏଥିରେ ଥିବା ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ, ୫ଟି ସାଇକେଲ ଥିଲା । ଡଙ୍ଗା କୂଳ ଛାଡିବାର କିଛି ସମୟ ପରେ ଓଲଟି ପଡିଥିଲା । କିଛି ଯାତ୍ରୀ ପହଁରି ପହଁରି କୂଳକୁ ଆସି ଲୋକଙ୍କୁ ଜଣାଇଥିଲେ । ଏହାପରେ ଖବର ପାଇ ପୁଲିସ ଓ ଦମକଳ ବାହିନୀ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ଡଙ୍ଗାଗୁଡିକରେ ଲାଇଫ ଜ୍ୟାକେଟ ବ୍ୟବସ୍ଥା ନ ଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି । ଗତ ୩ ତାରିଖରେ ଏକ ଡଙ୍ଗା ବୁଡି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି ।