ବିଜେପିକୁ ଫେରିବେ ବିଜୟ !

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ପୁଣି ଥରେ ବିଜେପିକୁ ଫେରିପାରନ୍ତି ବିଜୟ ମହାପାତ୍ର । ବିଜୟଙ୍କ ମାନଭଞ୍ଜନ ପାଇଁ ଚାଲିଛି ବିଜେପି ନେତାଙ୍କ ପ୍ରୟାସ । ଯଦି ସେ ମନପରିବର୍ତନ କରନ୍ତି ତେବେ ଆସନ୍ତାକାଲି ଜୟପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେବାକୁ ଥିବା ସଭାରେ ବିଜୟ ମହାପାତ୍ରଙ୍କୁ ବିଜେପିକୁ ବିଧିବଦ୍ଧ ଭାବେ ସ୍ୱାଗତ କରାଯିବ।
ଏବେ ବିଜୟ ମହାପାତ୍ର ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡାଙ୍କ ସହ ବ୍ରେକ୍‌ଫାଷ୍ଟ୍‍ କରିବେ। ଏହା ପରେ ଅପରାହ୍ଣ ୧ଟା ବେଳେ ସେ ରାଜ୍ୟ ବିଜେପି କାର୍ୟ୍ୟାଳୟକୁ ଯିବେ।
ସେଠାରୁ ସେ ଜୟପୁର ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସଭାରେ ତାଙ୍କୁ ବିଜେପିରେ ବିଧିବଦ୍ଧ ଭାବେ ସାମିଲ କରାଯିବ।
୨୦୧୮ ମସିହା ନଭେମ୍ବର ୩୦ ତାରିଖରେ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇ ନାହିଁ ବୋଲି ଭାଜପା ନେତା ଗୋଲକ ମହାପାତ୍ର କହିଥିଲେ। ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଭାଜପାର କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ବହୁ ବିଶିଷ୍ଟ ନେତୃବୃନ୍ଦ ଗତ କିଛି ଦିନ ହେବ ତାଙ୍କ ସହ ଯୋଗାଯୋଗ ଚଳାଇଥିଲେ।