ଅର୍ଣ୍ଣବ ଛଡାଇନେଲା ଆଶ୍ରୟ

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ, ଭୁଷୁଡି ପଡିବା ଫଳରେ ଘର ଭାଙ୍ଗିଲା । ବର୍ତମାନ ମୁଣ୍ଡ ଗୁଞ୍ଜିବାକୁ ଏବେ ଜାଗା ନାହିଁ । ଏଭଳି ଘଟଣା ନଜରକୁ ଆସିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଷୋଡକ ପଞ୍ଚାୟତ ନୂଆସାହିର ।  ଲଗାଣ ବର୍ଷାରେ ଗୋଟିଏ ପରେ ଗୋଟିଏ ୪ ଗରିବ ପରିବାରଙ୍କ ଘର  ଉଜୁଡ଼ି ଯାଇଛି । ଭାଙ୍ଗିଥିବା ଘର ମଧ୍ୟରେ ସୁକାନ୍ତି ବରଡ଼, ଜୟନ୍ତୀ ପ୍ରଧାନ, ଝୁନୁ ପ୍ରଧାନ, ରଶ୍ମିତା ପ୍ରଧାନ ଓ ପାଣ ପ୍ରଧାନଙ୍କ ପରିବାର ଏବେ ନିଜର ଘର ହରାଇ ଅସହାୟ ପାଲଟି ଯାଇଛନ୍ତି । ଭଙ୍ଗା ଘର ଭିତରୁ ଜରୁରୀ ସାମଗ୍ରୀ ବାହାର କରିବା ବି କଷ୍ଟକର ହୋଇପଡ଼ିଛି । ଭଙ୍ଗା ଘରକୁ ଫେରିବାକୁ ଭୟ, ଆଉ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଅନ୍ୟ ଆଶ୍ରୟ । ଦେଖିବାକୁ ଗଲେ ସବୁଠାରୁ ଅଧିକ ଦୁର୍ଦ୍ଦଶା ରଶ୍ମିତା ପ୍ରଧାନଙ୍କ ପରିବାରର । ତାଙ୍କ ଭିନ୍ନକ୍ଷମ ପୁଅ ଅରୁଣ ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ଗତବର୍ଷ ବର୍ଷା ଓ ପବନରେ ଘର ଭାଙ୍ଗିଥିଲା । ସରକାରୀ ସହାୟତା ପାଇଁ ଜଣାଇଥିଲେ ମଧ୍ୟ ଏଯାଏ ସହାୟତା ମିଳିନାହିଁ । ଏବେ ପୁଣି ଘର ଭୁଶୁଡ଼ି ପଡ଼ିବା ପରେ ଦୁର୍ଦ୍ଦଶା ଆହୁରି ବଢ଼ିଛି । ଘଟଣା ପରେ ତହସିଲଦାର ଘଟଣାସ୍ଥଳକୁ ଆସିନଥିବା ନେଇ ମଧ୍ୟ ଅରୁଣ ଅଭିଯୋଗ କରିଛନ୍ତି । ବର୍ଷାରେ ଆଶ୍ରୟ ହରାଇଥିବା ଏହି ପରିବାର ଏବେ ପ୍ରଶାସନର ସହାୟତାକୁ ଅପେକ୍ଷା କରି ବସିଛନ୍ତି । ଅନ୍ୟପଟେ ବିଡିଓ ଶଶିଭୂଷଣ ମହାପାତ୍ର କହିଛନ୍ତି, ଷୋଡକ ପଞ୍ଚାୟତରେ ବ୍ଲକର ଅନ୍ୟ ଅଞ୍ଚଳ ତୁଳନାରେ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତୋଦୟ ଗୃହ ବଣ୍ଟନ କରାଯାଇଛି । ଯଦି କୌଣସି ଯୋଗ୍ୟ ପରିବାର ବାଦ ପଡ଼ିଥାନ୍ତି, ସରକାରୀ ନିୟମ ଅନୁସାରେ ସେମାନଙ୍କୁ ଯୋଜନାରେ ସାମିଲ କରାଯିବ । ବର୍ଷା ଓ ପବନରେ ଅସହାୟ ପରିବାରଙ୍କ ନିକଟରେ ବ୍ଲକ ପ୍ରଶାସନ ପହଞ୍ଚି ସହାୟତା ଦେଇଥିବା ମଧ୍ୟ ସେ କହିଛନ୍ତି ।