କୋର୍ଟଙ୍କ ବଡ଼ ଝଟକା: ଅନୁଭବଙ୍କ ଘର ଛାଡ଼ି, ନିଜ ପାଇଁ ଘର ଖୋଜିବେ ବର୍ଷା

ଭୁବନେଶ୍ୱର: ବର୍ଷାଙ୍କୁ କୋର୍ଟଙ୍କ ବଡ଼ ଝଟକା । ସାଂସଦ ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ । ଅନୁଭବଙ୍କ ପିଟିସନକୁ ଗ୍ରହଣ କଲେ SDJM କୋର୍ଟ । ଆଉ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ କୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ । ବର୍ଷାଙ୍କ ରହଣି ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବେ। ପ୍ରତି ମାସର ୧୦ ତାରିଖ କିମ୍ବା ତା’ ପୂର୍ବରୁ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ଛାଡ଼ିବେ ବର୍ଷା । ପୈତୃକ ଘର ଛାଡ଼ିବାକୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ସେ ଏହି ଆବେଦନ କରିଥିଲେ । ବର୍ଷାଙ୍କ ଉପଯୁକ୍ତ ରହଣି ବ୍ୟବସ୍ଥା କରିବେ ବୋଲି ମଧ୍ୟ କହିଥିଲେ ଅନୁଭବ ।କିଛି ଦିନ ତଳେ ଦୁହିଁଙ୍କ ଭିତରେ ସୋସିଆଲ ମିଡିଆ ୱାର ଦେଖିବାକୁ ମିଳିଥିଲା। ଏନେଇ ଏହି ସେଲିବ୍ରିଟି ଦମ୍ପତି ଅନୁଭବ-ବର୍ଷାଙ୍କୁ ହାଇକୋର୍ଟ ତାଗିଦ କରିଥିଲେ ।ମିଡିଆ ଓ ସୋସିଆଲ ମିଡିଆରେ ଆପତ୍ତିଜନକ ଆକ୍ଷେପ କରିବାକୁ ବି ମନା କରିଥିଲେ କୋର୍ଟ। ସୋସିଆଲ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ତିନି ତିନିଟି ଭିଡିଓ ପୋଷ୍ଟ ପରେ ହାଇକୋର୍ଟରେ ଆବେଦନ କରିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

ତେବେ ଅନୁଭବଙ୍କ ଓକିଲଙ୍କ କହିବା ଅନୁଯାୟୀ, ବର୍ଷାଙ୍କୁ ପ୍ରତିମାସ ୧୦ ତାରିଖ ଭିତରେ ମାସକୁ ୩୦ ହଜାର ଟଙ୍କା ରହଣି ପାଇଁ ଦେବେ ଅନୁଭବ । ଅନୁଭବ ୨ମାସର ଟଙ୍କା ଦେବା ପରେ ବର୍ଷା ଘର ଛାଡିବେ । କିନ୍ତୁ ବର୍ଷା ତାଙ୍କ ସୁରକ୍ଷା ଦୃଷ୍ଟିରୁ ନିଜେ ଘର ଖୋଜିବେ ବୋଲି ଅନୁଭବଙ୍କ ଓକିଲ କହିଛନ୍ତି । ଏବଂ ଏଥି ସହିତ ବର୍ଷା ଚାହିଁଲେ କୋର୍ଟଙ୍କ ରାୟ ବିରୁଦ୍ଧରେ ପୁଣିଥରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।