ପଥରକ୍ୱାରୀରେ ଅଘଟଣ, ଜିଅନ୍ତା ଜଳିଗଲେ ଦୁଇ ଶ୍ରମିକ

( ଜଗନ୍ନାଥ ଅଗ୍ରୱାଲ): ଅନୁଗୁଳ ଜିଲ୍ଲା ଜରାସିଂହ ଗାଁ ମୁଣ୍ଡ ପଥରକ୍ୱାରୀରେ ଘଟିଛି ଅଘଟଣ । ଘର ପୋଡି ଦୁଇ ଜଣ ଜୀବନ୍ତ ଦଗ୍ଧ । ମୃତକ ଜଣକ ହେଲେ ନିରାଶ ସୁରି ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଚଳାଇଛି ।

ସୂଚନାଅନୁଯାୟୀ , ଜରାସିଂହା ଗାଁ ମୁଣ୍ଡରେ ଏକ ପଥର କ୍ୱାରୀ ରହିଛି। ଏଠାରେ କାମ କରୁଥିବା ଶ୍ରମିକମାନେ ନିକଟରେ କୁଡ଼ିଆ କରି ରହୁଛନ୍ତି। ଅନ୍ୟଦିନ ଭଳି ଶ୍ରମିକମାନେ ଗତ ରାତିରେ ଖାଇପିଇ ଶୋଇ ଯାଇଥିଲେ। ହଠାତ୍ ବିଳମ୍ବିତ ରାତିରେ ଏହି କୁଡ଼ିଆରେ ନିଆଁ ଲାଗି ଯାଇଥିଲା। ଭିତରୁ କବାଟ ବନ୍ଦ ଥିବାରୁ କେହି ପଦାକୁ ବାହାରି ପାରିନଥିଲେ। ଫଳରେ ଉଭୟେ ଜିଅନ୍ତା ଜଳି ଯାଇଥିଲେ। ମୃତକ ଜଣକ ହେଲେ ନିରାଶ ସୁରି ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ ନାହିଁ। ଉଭୟେ ବାହାର ଅଂଚଳରୁ ଆସି ଏଠାରେ ଶ୍ରମିକଭାବେ କାମ କରୁଥିଲେ। ନିଛାଟିଆ ଜାଗାରେ ହୋଇଥିବାରୁ ଏମାନଙ୍କ ସହ କାହାର ବିଶେଷ ସମ୍ପର୍କ ନଥିଲା। ଏଣୁ ରାତିରେ ଘଟିଥିବା ଏହି ଅଘଟଣ ସଂପର୍କରେ ଅନ୍ୟମାନେ ଜାଣି ପାରିନଥିଲେ।ସନ୍ଧ୍ୟାରେ ଶୌଚ ପାଇଁ ଯାଇଥିବା କେତେକ ଲୋକ କୁଡ଼ିଆ ପୋଡ଼ି ଯାଇଥିବା ଦେଖି ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘରୁ ଉଭୟଙ୍କ ଦରପୋଡ଼ା ଶରୀରକୁ ବାହାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନୁଗୁଳ ଥାନା ଇନ୍ସ୍ପେକ୍ଟର ରମେଶ ବିଶୋଇ ଘଟଣାର ତଦନ୍ତ କରୁଛନ୍ତି। ବିଦ୍ୟୁତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସଂଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ଅସଲ କାରଣ ସହ ଦୁଇ ମୃତକଙ୍କ ପରିଚୟ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି।