(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଦୁଇ ଦିନ ହେବ ଲଗାଣ ବର୍ଷା ଯୋଗୁ ପ୍ରାୟ ୫ହଜାର ଧାନ ଜମି ରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଯାହା ଫଳରେ ପନିପରିବା ଚାଷ ସହ ଧାନ ଫସଲ ନଷ୍ଟ ହେବାର ଆଶଙ୍କା କରାଯାଇଛି । ମଇ ମାସ ଆରମ୍ଭରୁ ସାମୁଦ୍ରିକ ବାତ୍ୟାରେ ଚାଷୀର ଯେଉଁ କ୍ଷତି ହୋଇଛି ସେଥିରେ ସେ ଅଣ୍ଟା ସଳଖି ନ ଥିବା ବେଳେ ଏବେ ବର୍ଷା ଦାଉ ସାଧିଛି । ଜଳ ନିଷ୍କାସନ ସୁବିଧା ନଥିବାରୁ ଏଭଳି ପରିସ୍ଥିତି ହୋଇଥିବା ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଗୋଟିଏ ପକ୍ଷେ ଲୁଣାନଦୀରେ କଲକତି ଦଳଭର୍ତ୍ତି ଯୋଗୁ ଜଳ ନିଷ୍କାସନ ହୋଇ ପାରୁନାହିଁ ।
ପୁରୀ ଜିଲ୍ଲାର ମୁନିଦା,ଧାନକେରା,ଗୁଆଳିପଡା,ବରକେରା,ଅଳଉତା,ବେଲପଡା,ଚାନ୍ଦଳ,ସେବତିପୁର ପୁର୍ବପାରି,ଶରଧାପୁର,ନୁଆଗା.ଗୁଡୁପାଇଲି,ହୁଳୁହୁଳା ଆଦି ଗ୍ରାମର ଜମି ଜଳମଗ୍ନ ହୋଇ ରହିଛି । ସେହିପରି ପାଣି ନିଷ୍କାସନ ପାଇଁ ବରକେରା ଗ୍ରାମ ବେଲପଡାରେ ଦୁଇଟି ଶଂଖ ର ଆବଶ୍ୟକ ରହିଥିବା ଗ୍ରାମବାସୀ ଦାବୀ କରିବା ସହ ଚାଷ ଜମିରୁ ଖୁବ ଶୀଘ୍ର ଜଳ ନିଷ୍କାସନ ପାଇଁ ବିଭାଗୀୟ ଅଧିକାରୀ ତଦନ୍ତ କରି ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ନଚେତ ଆଗାମି ଦିନରେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି ।