ଆଜି ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଫାଇନାଲ

ପଞ୍ଜାବର ଜଳନ୍ଧରରେ ଚାଲିଥିବା ନବମ ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଭାରତ। ସେମିଫାଇନାଲରେ ଦମ୍‌ଦାର ପ୍ରଦର୍ଶନ କରି ଦକ୍ଷିଣ କୋରିଆକୁ ୮-୧ ଗୋଲ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏବେ ସ୍ୱର୍ଣ୍ଣ ପଦକ ଲକ୍ଷ୍ୟରେ ଆଜି ଫାଇନାଲରେ ଜାପାନକୁ ଭେଟିବ ଭାରତ।

ମ୍ୟାଚ୍‌ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତୀୟ ଦଳ। ମାତ୍ର ଚତୁର୍ଥ ମିନିଟ୍‌ରେ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ପ୍ରଥମ ଗୋଲ୍‌ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଏହାପରେ ନବମ ମିନିଟ୍‌ରେ ଅଧିନାୟକ ହର୍ମନପ୍ରୀତ ସିଂ ଦ୍ୱିତୀୟ ଏବଂ ୧୩ତମ ମିନିଟ୍‌ରେ ଶିଳାନନ୍ଦ ନିଜର ଦ୍ୱିତୀୟ ଗୋଲ୍‌ ସହ ଦଳର ସ୍ଥିତି ମଜଭୁତ କରିଥିଲେ। ତେବେ ନବମ ମିନିଟ୍‌ରେ ଦକ୍ଷିଣ କୋରିଆ ଗୋଟିଏ ଗୋଲ୍‌ ପରିଶୋଧ କରିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଗୋଲ୍‌ ବର୍ଷା ଜାରି ରହିଥିଲା। ୨୧ତମ ମିନିଟ୍‌ରେ ସୁଖଜିତ ସିଂ ଏବଂ ୨୧ ଓ ୨୫ତମ ମିନିଟ୍‌ରେ ଦିଲପ୍ରୀତ ସିଂ ଗୋଲ୍‌ ଦେଇ ଭାରତକୁ ୬-୧ରେ ଆଗୁଆ କରାଇଥିଲେ। ମ୍ୟାଚ୍‌କୁ ଫେରିବା ପାଇଁ କୋରିଆ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଆଗରେ ସବୁ ପ୍ରୟାସ ଫିକା ପଡ଼ିଥିଲା।

ଏହାପରେ ୩୬ତମ ମିନିଟ୍‌ରେ ଅଙ୍ଗଦ ସିଂ ଏବଂ ୫୪ତମ ମିନିଟ୍‌ରେ ବିବେକ ସାଗର ପ୍ରସାଦ ଆଉ ଦୁଇଟି ଗୋଲ୍‌ ଦେଇ ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ମଧ୍ୟ ଭାରତର ଆକ୍ରମଣକୁ ରୋକିବାରେ ବିଫଳ ହୋଇଥିଲା ଦକ୍ଷିଣ କୋରିଆ। ଶେଷରେ ୮-୧ ଗୋଲ୍‌ରେ ବିଜୟୀ ହୋଇ ଫାଇନାଲ ଟିକେଟ୍‌ ହାସଲ କରିଥିଲା ଭାରତ।

ଅନ୍ୟପକ୍ଷରେ ଦ୍ୱିତୀୟ ସେମିଫାଇନାଲରେ ଜାପାନ ଓ ମାଲେସିଆ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ରହିବାରୁ ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ଜାପାନ ୫-୩ ଗୋଲ୍‌ରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି। ଆଜି ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଓ ଜାପାନ ମଧ୍ୟରେ ମହାମୁକାବିଲା ହେବାକୁ ଥିବାବେଳେ ବ୍ରୋଞ୍ଜ ପଦକ ପାଇଁ ଦକ୍ଷିଣ କୋରିଆ ଓ ମାଲେସିଆ ମୁହାଁମୁହିଁ ହେବେ।