ଅପରେସନ୍ ରି-କନେକ୍ଟରେ ବଡ଼ ସଫଳତା, ୧୩୫ ମୋବାଇଲ୍ ଫେରାଇଲା ଜଗତସିଂହପୁର ପୋଲିସ

ହଜିଥିବା ଓ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରି ମାଲିକଙ୍କୁ ଫେରାଇବାରେ ଜଗତସିଂହପୁର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ଅପରେସନ୍ ରି-କନେକ୍ଟ ଅଭିଯାନରେ ୧୩୫ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି। ଏହି ମୋବାଇଲ୍‌ଗୁଡ଼ିକର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ୨ ହଜାର ୬୦୧ ଟଙ୍କା। ଗୁରୁବାର ନଭେମ୍ବର ୫ ତାରିଖରେ ଜଗତସିଂହପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଡିଆଇବି ସମ୍ମିଳନୀ କକ୍ଷରେ ମୋବାଇଲ୍ ହସ୍ତାନ୍ତର ମେଳା ଆୟୋଜିତ ହୋଇଥିଲା। ଏଥିରେ ସିଆର୍ ଆଇଜି ଡକ୍ଟର ସତ୍ୟଜିତ ନାୟକ ଓ ଜଗତସିଂହପୁର ଏସ୍‌ପି ଅଙ୍କିତ କୁମାର ବର୍ମା ଯୋଗଦେଇ ଯାଞ୍ଚ ପରେ ମୋବାଇଲ୍‌ଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଥିଲେ।

ଉଦ୍ଧାର ହୋଇଥିବା ମୋବାଇଲ୍‌ଗୁଡ଼ିକ ମଧ୍ୟରେ ଭିଭୋ, ଓପୋ, ରିଅଲମି, ସାମସଙ୍ଗ, ୱାନ୍‌ପ୍ଲସ୍, ରେଡମି, ମୋଟୋରୋଲା, ଆପଲ୍, ନଥିଂ, ପୋକୋ, ଟେକ୍ନୋ ଓ ଲାଭା ଭଳି ୧୨ଟି ବ୍ରାଣ୍ଡର ଫୋନ୍ ରହିଛି।

ଚଳିତ ବର୍ଷ ଏପ୍ରିଲ୍ ମାସରେ ପ୍ରଥମ ପର୍ଯ୍ୟାୟରେ ୫୮ଟି ମୋବାଇଲ୍ ଉଦ୍ଧାର କରାଯାଇ ମାଲିକଙ୍କୁ ଫେରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ୧୩୫ଟି ମୋବାଇଲ୍ ଫେରସ୍ତ ପରେ ୨୦୨୬ରେ ମୋଟ ୧୯୩ଟି ମୋବାଇଲ୍ ଉଦ୍ଧାର ହୋଇଛି। ଏହାର ମୋଟ ଆନୁମାନିକ ମୂଲ୍ୟ ୪୩ ଲକ୍ଷ ୨ ହଜାର ଟଙ୍କା।

ମୋବାଇଲ୍ ହଜିଗଲେ କିମ୍ବା ଚୋରି ହେଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବା ସହ ସରକାରଙ୍କ ସଞ୍ଚାର ସାଥୀ ପୋର୍ଟାଲ୍ (CEIR) ରେ ମଧ୍ୟ ରେଜିଷ୍ଟ୍ରେସନ୍ କରିବାକୁ ଜଗତସିଂହପୁର ପୋଲିସ ପରାମର୍ଶ ଦେଇଛି। ଏହି ପୋର୍ଟାଲ୍ ମାଧ୍ୟମରେ ମୋବାଇଲ୍‌ର IMEI ନମ୍ବର ବ୍ୟବହାର କରି ହଜିଥିବା କିମ୍ବା ଚୋରି ହୋଇଥିବା ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିବା ସମ୍ଭବ।

ନାଗରିକଙ୍କ ସମ୍ପତ୍ତି ସୁରକ୍ଷା ଓ ଅଭିଯୋଗର ତ୍ୱରିତ ସମାଧାନ ଦିଗରେ ଜଗତସିଂହପୁର ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।