ବଲାଙ୍ଗୀରରେ ଶ୍ରମିକ ଚାଲାଣ ଅଭିଯୋଗ । ଇଟାଭାଟିରେ କାମ କରାଇବାକୁ ନେଉଥିବା ବେଳେ ୧୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିବା ସହ ଏକ ବୋଲେରୋ ଗାଡ଼ି ଜବତ କରିଛି ଖପ୍ରାଖୋଲ ପୁଲିସ ।

ସୂଚନା ଅନୁସାରେ, ଅକ୍ଟୋବର ୧୪ ତାରିଖ ରାତିରେ ଖପ୍ରାଖୋଲ ଥାନା ପୁଲିସ ମାଲପଡ଼ା ଗାଁ ନିକଟରେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ବୋଲେରୋ ଗାଡ଼ିରେ ୧୩ ଜଣଙ୍କୁ ନେଇ ଯାଉଥିବା ଦେଖି ପୁଲିସ ଅଟକାଇଥିଲା । ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ, ୩ ଜଣ ମହିଳା ଏବଂ ୫ ଜଣ ନାବାଳକ ଓ ନାବାଳିକା ଥିବା ଜଣାପଡ଼ିଛି । ସମସ୍ତଙ୍କୁ ତେଲେଙ୍ଗାନାର ନିଜାମାବାଦ ଅଞ୍ଚଳର ଏକ ଇଟାଭାଟିକୁ ନିଆଯାଉଥିବା ପୁଲିସ ଅଭିଯୋଗ କରିଛି ।

ଏହି ଘଟଣାରେ ଶ୍ରମିକ ସରଦାର ଗୌତମ ଧରୁଆ ଏବଂ ବୋଲେରୋ ଚାଳକ ନବୀନ ନାଗଙ୍କୁ ପୁଲିସ ଅଟକ ରଖିଛି । ଏଥିସହ ଗାଡ଼ିଟିକୁ ଜବତ କରିଛି । ଘଟଣାକୁ ନେଇ ଖପ୍ରାଖୋଲ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ବିଏନ୍ଏସ୍ର ବିଭିନ୍ନ ଧାରା ଏବଂ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ଅନୁଯାୟୀ ତଦନ୍ତ ଜାରି ରହିଛି ।