ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ । ଇରାନକୁ ଯେକୌଣସି ପ୍ରକାରର ସହାୟତା ସମ୍ପୂର୍ଣ୍ଣ ଅଗ୍ରହଣୀୟ ।ଏହି ସୂଚନା ଦେଇଛନ୍ତି ଚୀନ ରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡେଭିଡ ପରଡିୟୁ । ଚୀନ ପକ୍ଷରୁ ଇରାନ କୁ ସିଧାସଳଖ ସହାୟତା କରାଯାଉଥିବା କୌଣସି ପ୍ରମାଣ ନାହିଁ । ପରୋକ୍ଷ ସହାୟତା ପ୍ରଦାନ କରାଯାଉଥିବା ନେଇ ୱାସିଂଟନ ଆଶଙ୍କା ପ୍ରକଟ କରିଛି ।ଏହି ଆଶଙ୍କା ଦୃଷ୍ଟିରୁ ଚୀନ କୁ ଚେତାବନୀ ଦେଇଛି ଆମେରିକା ।ହ୍ୱାଇଟ୍ ହାଉସରେ ଦୁଇ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ରୁଦ୍ଧଦ୍ବାର ଆଲୋଚନା ପରେ ଆମେରିକା ପକ୍ଷରୁ ଏହି ବୟାନ ଜାରି କରାଯାଇଛି । CNBC କୁ ଦେଇଥିବା ଏକ ସାକ୍ଷାତକାରରେ ଡେଭିଡ କହିଛନ୍ତି, ଇରାନକୁ କୌଣସି ପ୍ରକାର ସାମରିକ କିମ୍ବା ଗୋପନୀୟ ସହାୟତା ଯୋଗାଇ ନ ଦେବାକୁ ପୂର୍ବରୁ ସତର୍କ କରାଇ ଦିଆଯାଇଛି । ଏହାବାଦ ଯଦି ଚୀନ କୌଣସି ସହାୟତା ଯୋଗାଏ, ତେବେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ିପାରେ । ତେବେ ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଖୋଲା ରହିବା ଦରକାର ବୋଲି ଉଭୟ ଟ୍ରମ୍ପ ଏବଂ ସି ଜିନପିଙ୍ଗ ସହମତ ହୋଇଛନ୍ତି । ଦୁଇ ମହାଶକ୍ତିଙ୍କ ମଧ୍ୟରେ ଅନେକ ମତଭେଦ ଥିଲେ ସୁଦ୍ଧା, ଉଭୟ ନେତାଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା ହୋଇଛି । ଚୀନ ରାଷ୍ଟ୍ରପତିଙ୍କ ଏହି ୩ ଦିନିଆ ଆମେରିକା ଗସ୍ତ ସମୟରେ କେବଳ ଇରାନ ନୁହେଁ, ବରଂ AI, ବାଣିଜ୍ୟ, ତାଇୱାନ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ମଧ୍ୟ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି ।