ଏହି ବର୍ଷ ଓଡ଼ିଶାରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ୩୭.୪୩ ଲକ୍ଷ ଲୋକ ପ୍ରଭାବିତ ଏବଂ ୭ ଜଣଙ୍କ ମୃତ୍ୟୁ: ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାର ୨୬ଟି ଜିଲ୍ଲାରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ମୋଟ ୩୭,୪୩,୯୪୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ସମ୍ପର୍କରେ ବିଧାୟକ ଟଙ୍କାଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଲେ ଯେ, ବନ୍ୟା ଓ ଅତ୍ୟଧିକ ବର୍ଷା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ୯୩ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହା ବ୍ୟତୀତ, ରାଜ୍ୟବ୍ୟାପୀ ୨,୧୨,୫୩୩ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ଏବଂ ୧୮,୦୬୭ଟି ଘର କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ କରାଯାଇଛି।

ମନ୍ତ୍ରୀ ଆହୁରି ମଧ୍ୟ ଜଣାଇଲେ ଯେ, ବ୍ୟକ୍ତିଗତ ସମ୍ପତ୍ତି କ୍ଷୟକ୍ଷତି ପାଇଁ କ୍ଷତିପୂରଣ ବାବଦରେ SDRF ନିୟମାବଳୀ ଅନୁଯାୟୀ ବିଭିନ୍ନ ଜିଲ୍ଲାକୁ ୨୩୪ କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କା ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ଘର ନିର୍ମାଣ ସହାୟତା ପାଇଁ ୩୩.୬୩ କୋଟି ଟଙ୍କା ଏବଂ ଫସଲ କ୍ଷତି ସହାୟତା ପାଇଁ ୧୫୧.୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି।