ଅଫିସରଙ୍କୁ ରାଜନୈତିକ ରଙ୍ଗ କାହିଁକି?
ସଞ୍ଜୀବଙ୍କୁ ବଦନାମ କରିବାକୁ ଲବି?
ସଞ୍ଜୀବ ପଣ୍ଡାଙ୍କୁ ନେଇ ଉଠିଥିବା ଅଭିଯୋଗକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ଜଣେ ଅଫିସରଙ୍କୁ ନେଇ ରାଜନୈତିକ ଆକ୍ଷେପ କରାଯାଉଛି କି? ଅଫିସରଙ୍କ କାମ କ’ଣ? ସରକାର ଯେଉଁ ଦଳର ହେଉ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନିଜ ଦାୟିତ୍ୱ ତୁଲାଇବା ହିଁ ଜଣେ ଅଫିସରଙ୍କ କାମ । ସରକାର ବଦଳିଲେ ଅଫିସର କ’ଣ ନିଜ କାମ ବନ୍ଦ କରିଦେବେ? ନା, ସରକାର ଯେଉଁ ଦଳର ହେଉ, ଅଫିସର ନିଜ ପଦରେ ରହି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିବେ ।

ଏବେ ଆସିବା ସଞ୍ଜୀବ ପଣ୍ଡାଙ୍କ କଥାକୁ । ସଞ୍ଜୀବ ପଣ୍ଡା ଯେତେବେଳେ କମିଶନରେଟ୍ ପୋଲିସର କମିଶନର ଥିଲେ, ସେତେବେଳେ ମଧ୍ୟ ତାଙ୍କ କାମକୁ ନେଇ ଭଲ ଚର୍ଚ୍ଚା ହେଉଥିଲା । କମିଶନର ଭାବେ ନିଜ ଦାୟିତ୍ୱକୁ ସେ ଠିକ୍ ଭାବେ ତୁଲାଇଥିଲେ । ସେତେବେଳେ ରାଜ୍ୟରେ ଥିଲା ବିଜେଡି ସରକାର । ଏବେ ସରକାର ବଦଳିଛି । ରାଜ୍ୟରେ ବିଜେପି ସରକାର । ଆଉ ଏବେ ବି ସଞ୍ଜୀବ ପଣ୍ଡା ନିଜ ଦାୟିତ୍ୱରେ ରହି ଭଲ କାମ କରୁଛନ୍ତି । ତାହାହେଲେ ପ୍ରଶ୍ନ ଉଠୁଛି—ସରକାର ବଦଳିଲେ ଅଫିସରଙ୍କ କାମର ମାନଦଣ୍ଡ ବଦଳିଯିବ କି? ବିଜେଡି ସରକାର ସମୟରେ ଭଲ କାମ କରୁଥିବା ଅଫିସର, ବିଜେପି ସରକାର ସମୟରେ କାମ କଲେ ହଠାତ୍ ରାଜନୈତିକ ହୋଇଯିବେ କି?

ଜଣେ ଅଫିସରଙ୍କ କାମକୁ ତାଙ୍କ ଦଳୀୟ ପରିଚୟରେ ମାପିବା ଠିକ୍ କି? ନା ତାଙ୍କ କାର୍ଯ୍ୟଦକ୍ଷତା ଓ ଦାୟିତ୍ୱ ତୁଲାଇବାର ରେକର୍ଡ ଆଧାରରେ ମୂଲ୍ୟାୟନ କରାଯିବା ଉଚିତ? ଏହି ପ୍ରଶ୍ନ ଏବେ ଉଠୁଛି, କାରଣ ଡିଜି ପଦକୁ ନେଇ ଚର୍ଚ୍ଚା ଭିତରେ ସଞ୍ଜୀବ ପଣ୍ଡାଙ୍କୁ ନେଇ କିଛି ଗୋଷ୍ଠୀଙ୍କ ଅଭିଯୋଗ ସାମ୍ନାକୁ ଆସିଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଦେଇ ସଞ୍ଜୀବଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଯାଇଥିବା ଦାବି ହେଉଛି । ହେଲେ ଏହି ଅଭିଯୋଗକୁ ନେଇ ଏବେ ଆଉ ଏକ ପ୍ରଶ୍ନ—ଏହା କ’ଣ ସତରେ ଜଣେ ଅଫିସରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ, ନା ତାଙ୍କୁ ରାଜନୈତିକ ଭାବେ ବଦନାମ କରିବାର ଏକ ପ୍ରୟାସ?
ଏପଟେ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱାଙ୍କୁ ଏଡିଜିରୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଆଉ ଡିଜିପି ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାରୁ ପରବର୍ତ୍ତୀ ଡିଜିପି କିଏ ହେବେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଡିଜି ପଦର ଦୌଡ଼ ଭିତରେ ସଞ୍ଜୀବ ପଣ୍ଡାଙ୍କୁ ନେଇ ଉଠୁଥିବା ଅଭିଯୋଗ କେବଳ ରାଜନୈତିକ ଆକ୍ଷେପ ନା ଏହା ପଛରେ ଆଉ କିଛି କାରଣ ରହିଛି—ତାହା ହିଁ ଏବେ ବଡ଼ ପ୍ରଶ୍ନ ।