କୁଆପଥର ବର୍ଷା ସହ ଝଡ଼ ପବନ ନେଇ ଜାରି ହେଲା ସତର୍କତା । ଘୂର୍ଣ୍ଣିବଳୟ ଓ ବାୟୁ ପରିବର୍ତ୍ତନ ପ୍ରଭାବରେ ଆସନ୍ତା ୭ ଦିନ ଯାଏଁ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ମୁଖ୍ୟତଃ ସକାଳେ ଗରମ ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ହେଲେ ମାଡ଼ି ଆସୁଛି କାଳବୈଶାଖୀ ବର୍ଷା । ଏନେଇ ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ରହିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ବାଲେଶ୍ୱରରେ ଝଡ଼ବର୍ଷା ସମ୍ଭାବନା ରହିଛି । ଏହାସହ ୫୦ରୁ ୬୦ କି.ମି ବେଗରେ ପବନ ବହିବା ନେଇ ସତର୍କ କରାଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅନ୍ୟପଟେ ରାଜ୍ୟରେ ପ୍ରବଳ ଗରମ, ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ୫ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ରହିଛି । ବର୍ଦ୍ଧିତ ତାପମାତ୍ରାକୁ ନେଇ ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଝାରସୁଗୁଡ଼ା, ଟିଟିଲାଗଡ଼, ସମ୍ଵଲପୁର, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା ।