ସମୁଦ୍ରରେ ବୁଡ଼ି ୩ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ

ଖୁସିରେ  ବୁଲିବାକୁ ଯାଇଥିଲେ । ସେହି ଖୁସି ହୋଇଗଲା କାଳ ।  ଆଉ ଫେରିଲେନି ଜୀବନ୍ତ,  ଫେରିଲା  ମୃୃତଦେହ ।  ସମୁଦ୍ରରେ ବୁଡ଼ି ୩ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି ।  କର୍ଣ୍ଣାଟକର ଗୋକର୍ଣ୍ଣ ନିକଟସ୍ଥ ଦୁବ୍ବନଶଶି ବିଚ୍‌ରେ ଘଟିଛି ଏଭଳି ଦୁଃଖଦ ଘଟଣା।

ବେଙ୍ଗାଲୁରୁର ଏକ କମ୍ପାନୀରେ କାର୍ୟ୍ୟରତ ୩ ଜଣ ଇଞ୍ଜିନିୟର୍ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଦଳ ତିନିଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକମାନେ ହେଲେ ଝାଡ଼ଖଣ୍ଡର ୨୨ ବର୍ଷୀୟା ଶୋଭା ଦାସ ଦେବେନ୍ଦ୍ରନାଥ, ମହମ୍ମଦ ଆକ୍ରମ ଇସମାଇଲ ଅହମ୍ମଦ ଏବଂ ୨୪ ବର୍ଷୀୟ ବିଶ୍ୱ ଏକେ। ଏହି ତିନିଜଣ ବେଙ୍ଗାଲୁରୁର ବେଲାନ୍ଦୁର ଅଞ୍ଚଳରେ କାର୍ୟ୍ୟାଳୟ ଥିବା ଏକ ଆଇଟି କମ୍ପାନୀର କର୍ମଚାରୀ ଥିଲେ।

ସୂଚନା ଅନୁସାରେ, କମ୍ପାନୀର ୧୬ ଜଣିଆ ଟିମ୍ ଶନିବାର ସନ୍ଧ୍ୟାରେ ଗୋକର୍ଣ୍ଣରେ ପହଞ୍ଚିଥିଲେ। ସେମାନେ ସେଠାରେ ଏକ ଘରୋଇ ରିସର୍ଟରେ ରହୁଥିଲେ। ରବିବାର ଦିନ ଟିମ୍‌ର ୫ ଜଣ ସଦସ୍ୟ ଦୁବ୍ବନଶଶି ବିଚ୍‌ରେ ସମୁଦ୍ର ପାଣିକୁ ଯାଇ ଖେଳୁଥିଲେ। ହଠାତ୍ ଏକ ବଡ଼ ଲହଡ଼ି ଆସି ସେମାନଙ୍କୁ କୂଳଠାରୁ ଦୂରକୁ ଟାଣି ନେଇଥିଲା।

ପାଣିରେ ଫସିଯାଇଥିବା କର୍ମଚାରୀମାନେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରିଥିଲେ। ଖବର ପାଇ ଲାଇଫ୍‌ଗାର୍ଡ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ହେଲେ ସମସ୍ତଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।