ଆଗାମୀ ୫ ବର୍ଷରେ ୫୦ ହଜାର ଭାରତୀୟ ଶ୍ରମିକଙ୍କୁ ଇସ୍ରାଏଲରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଗୁରୁବାର (୨୬ ଫେବୃଆରୀ) ଦିନ ଭାରତ ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫୦,୦୦୦ ଅଧିକ ଭାରତୀୟ ଶ୍ରମିକଙ୍କୁ ଇସ୍ରାଏଲରେ କାମ କରିବାକୁ ଅନୁମତି ଦେବାକୁ ସହମତି ହୋଇଛି। ଏହି ନିଷ୍ପତ୍ତି ନରେନ୍ଦ୍ର ମୋଦୀ ଓ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ନିଆଯାଇଛି। ଏହାର ଅର୍ଥ ହେଉଛି, ଇସ୍ରାଏଲ ପ୍ରତିବର୍ଷ ହାରାହାରି ପ୍ରାୟ ୧୦,୦୦୦ ଅଧିକ ଭାରତୀୟଙ୍କୁ ନିଯୁକ୍ତି ସୁଯୋଗ ଦେବ। ଉଭୟ ପ୍ରଧାନମନ୍ତ୍ରୀ ଇସ୍ରାଏଲରେ କାର୍ଯ୍ୟରତ ଭାରତୀୟ ଶ୍ରମିକଙ୍କ ଅବଦାନକୁ ସ୍ୱୀକାର କରିଛନ୍ତି ଏବଂ ସେମାନେ ଦୁଇ ଦେଶର ବନ୍ଧୁତା ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା କୁହିଛନ୍ତି। ନିର୍ମାଣ ଓ ସେବା କ୍ଷେତ୍ରରେ ଭାରତୀୟ ଶ୍ରମିକଙ୍କ ସୁରକ୍ଷିତ ଓ ସୁବିଧାଜନକ ଗତିବିଧି ପାଇଁ ନଭେମ୍ବର ୨୦୨୩ରେ ସ୍ୱାକ୍ଷରିତ ଫ୍ରେମୱାର୍କ ଚୁକ୍ତିନାମା ଓ କାର୍ଯ୍ୟାନ୍ୱୟନ ପ୍ରୋଟୋକଲର ଗୁରୁତ୍ୱକୁ ମଧ୍ୟ ଉଭୟ ଦେଶ ପୁନରୁଚ୍ଚାରଣ କରିଛନ୍ତି।

The Economic Timesର ଏକ ରିପୋର୍ଟ ଅନୁଯାୟୀ, ନିର୍ମାଣ, ବାଣିଜ୍ୟ, ସେବା, ଉତ୍ପାଦନ ଓ ରେଷ୍ଟୁରାଣ୍ଟ କ୍ଷେତ୍ର ସହିତ ସମ୍ପୃକ୍ତ ଚୁକ୍ତିନାମାକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ବୈଠକ ପରେ ଜାରି ମିଳିତ ବିବୃତ୍ତି ଅନୁସାରେ, ଅଗଷ୍ଟ ୨୦୨୫ ସୁଦ୍ଧା ଇସ୍ରାଏଲରେ ୨୦,୦୦୦ ରୁ ଅଧିକ ଭାରତୀୟ ନାଗରିକ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ନିର୍ମାଣ ଓ ସେବା କ୍ଷେତ୍ରରେ ଶ୍ରମିକ ଅଭାବ ପୂରଣ ପାଇଁ ଯୋଗଦେଇଛନ୍ତି। ଇସ୍ରାଏଲ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରସ୍ଥାନ ପୂର୍ବରୁ ସେଠାରେ ବସୋବାସ କରୁଥିବା ଭାରତୀୟ ପ୍ରବାସୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ସୁବିଧା ଓ ସୁରକ୍ଷା ନେଇ ଆଲୋଚନା କରିଥିଲେ।