ନୂଆପଡ଼ା: ବିଜେଡିକୁ ଲାଗିଲା ଶକ୍ତ ଝଟକା । ବିଜେପିରେ ମିଶିଲେ ଜୟ ଢୋଲକିଆ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସ୍ବର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ନେଇ ସମ୍ଭାବନା ।
ନୂଆପଡ଼ାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋର୍ ଧରିଛି ନୂଆପଡ଼ା ରାଜନୀତି । ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗ୍ରହଣ । ଘାସିରାମ ମାଝୀଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ସେପଟେ ପଦଯାତ୍ରା କରି ଦଳ ସହ ଲୋକଙ୍କୁ ଯୋଡିବା ପାଇଁ ବିଜେଡି ପ୍ରୟାସ ଆରମ୍ଭ କରିଥିବା ବେଳେ ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।
ସୂଚନାଯୋଗ୍ୟ, ବିଜେଡିର ପଦଯାତ୍ରାରେ ଜୟ ଢୋଲକିଆଙ୍କୁ ଦେଖିବାକୁ ମିଳି ନଥିଲା। ସେବେଠାରୁ ଏକ ପ୍ରକାର ନିଶ୍ଚିତ ହୋଇଥିଲା ଯେ ଜୟ ଢୋଲକିଆ ବିଜେପି ଆଡ଼କୁ ଢଳୁଛନ୍ତି। ତାଙ୍କୁ ବିଜେପି ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେଲେ ନୂଆପଡ଼ାର ଅଙ୍କ ଓଲଟପାଲଟ ହୋଇଯିବ ଏବଂ ବିଜେପିର ବିଜୟ ସହଜସାଧ୍ୟ ହୋଇଯିବ । ଯେହେତୁ ରାଜେନ୍ଦ୍ର ଢ଼ୋଲକିଆ ବିଜେଡି ଦଳରୁ ବିଧାୟକ ହୋଇଥିଲେ ତେଣୁ ତାଙ୍କ ପୁଅ ଜୟ ଢୋଲକିଆ ବିଜେଡି ଦଳରୁ ପ୍ରାର୍ଥୀ ହେବେ ବୋଲି ନିଶ୍ଚିତ ଥିଲା । ହେଲେ ଦଳ କିନ୍ତୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରିନଥିଲା । ଏ ସବୁ ଭିତରେ କିନ୍ତୁ ନୂଆପଡ଼ା ସମୀକରଣ ବଦଳିଯାଇଛି । ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଏକପ୍ରକାର ନିଶ୍ଚିତ ହୋଇଛି ।