ଭୁବନେଶ୍ଵର: ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ’ ଉନ୍ମୋଚନ ଉତ୍ସବରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ସୌମ୍ୟରଞ୍ଜନ । ସୌମ୍ୟରଞ୍ଜନ କହିଛନ୍ତି, 5T ଅଧୀନରେ ହୋଇଥିବା ସମସ୍ତ ସ୍କୁଲ ଏବେ ସୁନ୍ଦର ଶୌଚାଳୟ ପାଲଟିଯାଇଛି । ଏହି ପାପକୁ ଧୋଇବା ପାଇଁ ବିଜେଡିକୁ ଆଉ ୫ରୁ ୧୦ ବର୍ଷ ଲାଗିବ । ନବୀନଙ୍କ ପ୍ରେମରେ ଓଡ଼ିଶାବାସୀ ଏକତରଫା ପ୍ରେମ କରିଥିଲେ ।
‘୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାରେ ଅନ୍ଧ ଭକ୍ତର ପ୍ରେମ କାହାଣୀ ଚାଲିଥିଲା ବୋଲି କହିଛନ୍ତି ସୌମ୍ୟ । ସେ ଆହୁରି କହିଛନ୍ତି ଯେ, ନବୀନ ବାବୁ ୨ଟି ପର୍ଯ୍ୟାୟରେ କ୍ଷମତା ହସ୍ତାନ୍ତର କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ୟାରୀଙ୍କୁ, ୨ୟ ପର୍ଯ୍ୟାୟରେ ଶହେ ଭାଗ ପାଣ୍ଡିଆନଙ୍କୁ କ୍ଷମତା । ଏହା ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବଡ଼ ଅପବାଦ ଥିଲା । ଫଳରେ ଏଥର ନିର୍ବାଚନରେ ପ୍ରତିକୂଳ ଜନାଦେଶର ସାମ୍ନା କରିବାକୁ ବାଧ୍ୟ ହେଲେ ନବୀନ ବାବୁ । ତେବେ ମୁଁ ଏଥିରେ ପାଣ୍ଡିଆନଙ୍କୁ ଦୋଷ ଦେବିନି । ଏଥିରେ ଯିଏ ତାଙ୍କୁ କ୍ଷମତା ଦେଲେ ସେ ସମ୍ପୁର୍ଣ୍ଣ ଦାୟୀ । ଯେଉଁମାନେ ତାଙ୍କୁ ଗ୍ରହଣ କରି କ୍ରୀତଦାସ ସାଜିଥିଲେ ସେମାନେ ଏବେ ଲୁଚୁଛନ୍ତି ବୋଲି କହିଛନ୍ତି ସୌମ୍ୟରଞ୍ଜନ ।
ଆଜି ବି. କେ ପବ୍ଲିକେସନ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରକାଶିତ ରୁବେନ ବାନାର୍ଜୀଙ୍କ ମୂଳ ଲେଖାର ଓଡ଼ିଆ ରୂପାନ୍ତର ‘ନବୀନ ପଟ୍ଟନାୟକ’ ପୁସ୍ତକଙ୍କୁ ଉନ୍ମୋଚନ କରି ଶ୍ରୀ ପଟ୍ଟନାୟକ ଏହା କହିଥିଲେ । ସେ ଆହୁରି କହିଥିଲେ, ନବୀନ ବେଶ୍ ଚାଲାକ୍ ରାଜନୈତିଜ୍ଞ। ନିଜର ଏକ ଅମଳିନ ଛବି ନିର୍ମାଣ କରି ନିଜ ଭୁଲ୍ତ୍ରୁଟିକୁ ପ୍ରଥମେ ପ୍ୟାରୀ ମହାପାତ୍ର ଓ ପରେ ଭି କେ ପାଣ୍ଡିଆନଙ୍କ ଉପରେ ଲଦି ଦେବାରେ ସେ ସଫଳ ହୋଇଛନ୍ତି। ନେତାମାନଙ୍କ ସ୍ବାର୍ଥସର୍ବସ୍ବ ଉଦ୍ଦେଶ୍ୟ ଗଣତନ୍ତ୍ର ପାଇଁ ବିପଦର କାରଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।