ପୁଣି ଆସୁଛି ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ଵର: ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଅନେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କିଛି ସ୍ଥାନରେ ପ୍ରବଳ ଓ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କେନ୍ଦ୍ରାପଡ଼ା  ଓ ଜଗତ୍‌ସିଂହପୁରରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହୋଇପାରେ ।ଏହି ଦୁଇ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ  ୱାର୍ଣ୍ଣିଂ ଜାରି କରିଛି । କେନ୍ଦୁଝର, ମୟୂରଭଞ୍ଜ,  ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକର  କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୬  ତାରିଖରେ କନ୍ଧମାଳ ଓ ଗଜପତିରେ ପ୍ରବଳରୁ  ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ  ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, ରାୟଗଡ଼ା,  ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ ଓ  କେନ୍ଦୁଝରରେ ଭାରୀ ବର୍ଷା ଆଶଙ୍କା ଅଛି ।  ୨୭ ଓ ୨୮ ତାରିଖରେ ଦକ୍ଷିଣ ଓଡ଼ିଶା ଓ  ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା  ହୋଇପାରେ ବୋଲି ଆକଳନ କରାଯାଇଛି । ଏଥିସହିତ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯିବା ସହ ଅରେଞ୍ଜ ଓ ୟେଲୋ ଓ୍ବାର୍ଣ୍ଣିଂ ଥିବା ଜିଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।