ନୂଆଦିଲ୍ଲୀ: ବଦଳିଲା ସଂସଦ କ୍ୟାଣ୍ଟିନର ମେନୁ ଚାର୍ଟ। ଏଣିକି ସଂସଦରେ ପରସା ଯିବ ସ୍ୱାସ୍ଥ୍ୟକର ଏବଂ ସୁସ୍ଵାଦୁ ଭୋଜନ । ସାରା ଦେଶର କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡ଼ିକରେ ସୁସ୍ଥ ଖାଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅନୁରୋଧ କ୍ରମେ ଏଭଳି ସୁସ୍ଥ ଖାଦ୍ୟର ମେନୁ ପ୍ରସ୍ତୁତ ହୋଇଛି। ଜନ କଲ୍ୟାଣ କାମ କରିବା ବେଳେ ସ୍ୱାସ୍ଥ୍ୟ ସହିତ ସାଲିସ୍ ନ କରିବା ଉଚିତ ବୋଲି କହିଛନ୍ତି ବାଚସ୍ପତି। ସଂସଦ କ୍ୟାଣ୍ଟିନର ନୂତନ ମେନୁ, ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ଏଥିରେ କମ୍ କାର୍ବୋହାଇଡ୍ରେଟ୍, କମ୍ ସୋଡିୟମ୍ ଏବଂ କମ୍ କ୍ୟାଲୋରୀ ଖାଦ୍ୟ ଅନ୍ତର୍ଭୁକ୍ତ। ଯାହା ଉଚ୍ଚମାନର ଫାଇବର ଏବଂ ପ୍ରୋଟିନରେ ଭରପୂର। ମେନୁରେ ବାଜରା, ଜୁଆର, ମାଣ୍ଡିଆ ଉପରେ ଆଧାରିତ ଖାଦ୍ୟକୁ ପ୍ରାଥମିକତା ଦିଆଯାଇଛି। ଯାହା ସମସ୍ତ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପ୍ରଦାନ କରେ। ଏହା ବ୍ୟତୀତ, ସେଓ ଏବଂ କଦଳୀ ଭଳି ସମ୍ପୂର୍ଣ୍ଣ ଫଳ ମଧ୍ୟ ମେନୁର ସାମିଲ କରାଯାଇଛି। ନୂତନ ମେନୁରେ ବାର୍ଲି ଏବଂ ଜୁଆର୍ ସାଲାଡ, ଗାର୍ଡେନ୍ ଫ୍ରେସ୍ ସାଲାଡ, ସ୍ପ୍ରାଉଟ୍ସ ସାଲାଡ, ଛୋଲେ ଚାଟ୍, ଟମାଟୋ ସୁପ୍, ତୁଳସୀ ସୁପ୍, ପନିପରିବା ସୁପ୍, ଚିକେନ୍ ସୁପ୍, ସୋୟା କବାବ, ରାଗି ବାଜରା ଇଡଲି, ଜୁଆର ଉପମା, ପନିପରିବା ପୋହା, ପନିପରିବା ବାଜରା ଖିଚଡି, ମଖାନା ଭେଳ, ମୁଗ ଡାଲି ଏବଂ ବେସନ କା ଚିଲା, ଚିନିମୁକ୍ତ ମିଶ୍ରିତ ବାଜରା ଖୀରୀ, ଗ୍ରୀଲ୍ଡ ଚିକେନ ଏବଂ ସିଝା ପନିପରିବା ସହିତ ଗ୍ରୀଲ୍ଡ ମାଛ, ଆଇସ୍ଡ୍ ଟି, ହର୍ବାଲ୍ ଟି, କେରଳ ଲସି, ସାଦା ବଟରମିଲ୍କ, ମସଲା ବଟରମିଲ୍କ, ମସଲା ସାଟୁ ଏବଂ ଆମପାନ୍ନା ଭଳି ପୁଷ୍ଟିକର ବିକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ । କୁହାଯାଉଛି ଯେ ଅଧିବେଶନ ସମୟରେ କାମ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ ଏବଂ କେତେକ ସମୟରେ ବିଳମ୍ବିତ ରାତି ମଧ୍ୟ ହୋଇଥାଏ। ତେବେ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ, ସଂସଦ କ୍ୟାଣ୍ଟିନ୍ ପୋଷଣଯୁକ୍ତ ଖାଦ୍ୟକୁ ଗୁରୁତ୍ୱ ଦେଇ ଏକ ସ୍ୱତନ୍ତ୍ର ମେନୁ କରିବାର ପଦକ୍ଷେପ ନେଇଛି। ଏଥିରେ ସ୍ୱାସ୍ଥ୍ୟ ଉପଯୋଗୀ ଓ ଦେଶୀ ଖାଦ୍ୟ ପ୍ରଦାନ କରାଯିବ।