ଭୁବନେଶ୍ଵର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ । ଭୁବନେଶ୍ବରରେ ଆୟୋଜିତ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ଯୋଗ ଦେବେ ରାହୁଲ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେଉଛି କଂଗ୍ରେସର ମହାସମାବେଶ । ରାହୁଲ ଗାନ୍ଧିଙ୍କ ସମେତ ମଲ୍ଲିକାର୍ଜୁନ୍ ଖଡ଼ଗେ ଏବଂ କେସି ବେଣୁଗୋପାଳ ମଧ୍ୟ ସାମିଲ ହେବେ । ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ପ୍ରଦେଶ କଂଗ୍ରେସ ଶିବିର ।
ତେବେ ଦିନ ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାହୁଲ । ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ଯାଏଁ ରାହୁଲଙ୍କ ହେବ ରୋଡ ସୋ’ । ମଧ୍ୟାହ୍ନ ୧୨ଟାରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବେ ରାହୁଲ ଗାନ୍ଧୀ । ସଭା ସରିବା ପରେ ଚାଷୀଙ୍କ ଦୁଇଟି ପ୍ରତିନିଧି ଦଳଙ୍କୁ ଭେଟିବେ । ଅପରାହ୍ନ ୩ଟାରେ କଂଗ୍ରେସ ଭବନରେ ରାଜନୈତିକ କମିଟି ସହ ବୈଠକ କରିବେ । ପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ କରିବେ ଆଲୋଚନା । ଏହାପରେ ସଂଧ୍ୟା ୫ଟାରେ ଦିଲ୍ଲୀ ଫେରିଯିବେ ରାହୁଲ । ତେବେ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇପଡିଛି । ଏବେ ପରବର୍ତ୍ତୀ ରୋଡ ମ୍ୟାପ ପାଇଁ କଣ ଗୁରୁମନ୍ତ୍ର ଦେବେ ତାକୁ ଅପେକ୍ଷା ରହିଛି ।