ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ଶ୍ରୀ ପାତାଳୀକ୍ଷେତ୍ର କୋଟସମଲାଇରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ଶ୍ରୀ ପାତାଳୀକ୍ଷେତ୍ର କୋଟସମଲାଇରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଭୋର ସକାଳୁ ୫ଟାରେ ମଙ୍ଗଳଆଳତି,ସକାଳ ୭ଟାରେ ଖେଚୁଡି ଭୋଗ,୮ଟାରେ ମଙ୍ଗଳାରୋପଣ,ଦ୍ଵାରପାଳ ପୂଜା,ଦ୍ଵାରଫିଟା,ଖେଚୁଡି ଭୋଗ,ମହାପ୍ରଭୁଙ୍କ ବେଶ,ରଥ ପ୍ରତିଷ୍ଠା ଆଦି ରୀତିନୀତି କରାଯାଇଥିଲା । ସକାଳ ୧୦ଟାରେ ଛଳିଆ ପାହାଡ ଶିଖରରୁ ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଥିଲା । ଅପରାହ୍ନ ୧ଟାରେ ମହାପ୍ରଭୁଙ୍କୁ ଗାଁର ଗଡତ୍ୟା ଚମରା ଅମାତ୍ ଛେରାପହଁରା ନୀତି ସମ୍ପାଦନ କରିଥିଲେ । ତା ପରେ ୨ଟାରେ ମହାପ୍ରଭୁଙ୍କ ରଥଟଣା ହୋଇଥିଲା । ବଳରାମଙ୍କ ତାଳଧ୍ୱଜ ରଥ ତା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ମହାବାହୁଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା । ଏହି ଅବସରରେ ଲକ୍ଷଲକ୍ଷ ଭକ୍ତ ଶ୍ରୀଜୀଉଙ୍କ ପ୍ରଭୁକୃପା ପାଇଁ ଧାଇଁ ଆସିଥିଲେ ।
ଏଥିରେ ରାଜମଣୀ ସାହୁ,ନାରାୟଣ ଦେହୁରୀ,ଅଧ୍ୟାପକ ପଣ୍ଡିତ ହରିଶ୍ଚନ୍ଦ୍ର ହୋତା ଓ ରବିନାରାୟଣ ପାଣିଗ୍ରାହୀ ପ୍ରମୁଖ ଧାରାବିବରଣି ପ୍ରଦାନ କରିଥିଲେ । ପାତାଳୀ ଶ୍ରୀକ୍ଷେତ୍ର ଭଜନ ଗ୍ରୁପ ଦ୍ବାରା ଭଜନ କାର୍ଯ୍ୟକ୍ରମ ,ମହିଳା ନାମ ସଂକିର୍ତନ ଆଦି ପରିବେଷଣ ହୋଇଥିଲା । ଅଖିଳ ଭାରତୀୟ ସେବା ସଂଗଠନ,ରାଷ୍ଟ୍ରୀୟ ସ୍ଵୟଂ ସେବା ସଂଗଠନ,ମାହେଶ୍ଵରୀ ସେନା,ପାତାଳୀ ସେନା,ପବନା ଶ୍ରମ ଗ୍ରୁପ,ପୋଲିସ ବିଭାଗ,ସ୍ବାସ୍ଥ ,ପାନୀୟ ଜଳ ବିଭାଗ,ଦମକଳ ବାହିନୀ ସହ ଅନ୍ୟ ବିଭାଗ ସହଯୋଗ କରିଥିଲେ ।