ପୁରୀ-: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଅବସ୍ଥା । ଠେଲାପେଲାରେ ଭକ୍ତ ହେଲେ ଆହତ, ଭିଡରେ ଫସିଲ ଆମ୍ବୁଲାନ୍ସ ଏବଂ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସି ମହିଳା ନିଖୋଜ ଭଳି ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଗତକାଲି ଅପରାହ୍ନରେ ରଥଟଣା ହେବା ସମୟରେ ଠେଲାପେଲା ରେ ୭୦ଜଣ ଭକ୍ତ ଆହତ ହୋଇଥିଲେ । ଆହତ ମାନଙ୍କ ମଧ୍ୟରୁ ଯାଜପୁରରୁ ଆସିଥିବା ୭୫ ବର୍ଷୀୟ ଜଣେ ମହିଳା ଓ ପାରାଦ୍ୱୀପରୁ ଆସିଥିବା କବିତା ପଲେଇ ନାମକ ୬୦ ବର୍ଷିୟ ମହିଳା ଡାକ୍ତରଖାନାକୁ ଆସି ଚିକିତ୍ସା ପରେ ନିଖୋଜ ହେବା ଘଟଣା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ସେହିପରି ରଥ ଟଣା ବେଳେ ବଡ଼ଦାଣ୍ଡରେ ପ୍ରବଳ ଗୁଳୁଗୁଳି ହେତୁ ପ୍ରାୟ ୭୪୨ ଜଣ ଭକ୍ତ ଅସୁସ୍ଥ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅନ୍ୟପଟେ ସମୁଦ୍ରରେ ଗାଧୋଇବା ସମୟରେ ଜୁଆର ମାଡରେ ଅନେକ ପର୍ଯ୍ୟଟକ ଆହତ ହୋଇଥିଲେ ।
ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଅତିରିକ୍ତ ସଚିବଙ୍କ କହିବା କଥା, “ରଥଯାତ୍ରାରେ ଭକ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତକାଲି ମୋଟ ୩୫୦୦ ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ଗତ କାରଣ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୁରୀ ଆଇଡିଏଚରେ ଭର୍ତ୍ତି ହୋଇଥିଲେ । ରଥ ଟଣା ବେଳେ ଅସହ୍ୟ ଗୁଳୁଗୁଳିରେ ବେହୋସ ହୋଇ ଓ ବିଭିନ୍ନ କାରଣରୁ ଖଣ୍ଡିଆ ଖାବରା ହୋଇ ୭୪୨ ଜଣ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଇତି ମଧ୍ୟରେ ୪୮୦ ଜଣଙ୍କୁ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି । ଅନ୍ୟମାନେ ମଧ୍ୟ ଆଜି ମାଡିକାଲରୁ ଡିସ୍ଚାର୍ଜ ହେବେ । ସେଭଳି କାହାରି ଗୁରୁତର ସ୍ୱାସ୍ଥ୍ୟ ଅସୁବିଧା ହୋଇନାହିଁ । କେହି ମୃତାହତ ହୋଇନାହାନ୍ତି ।”