ପୁରୀ-: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଅନବସରର ୬ଷ୍ଠ ଦିନରେ ଆଜି ମହାପ୍ରଭୁଙ୍କୁ ଓଷୁଅ ଲାଗି କରାଯିବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦଇତାପତି ଓଷୁଅ ଲାଗି କରିବେ । ଆସନ୍ତା ୩ ଦିନ ଧରି ମହାପ୍ରଭୁଙ୍କୁ ଓଷୁଅ ଲାଗି କରାଯିବ ।
ଅନ୍ୟପଟେ ଅଣସର ପିଣ୍ଡିରେ ଦଇତାପତି ସେବକ ମାନେ ଶ୍ରୀଜିଉଙ୍କ ଉପଶମ ନେଇ କରୁଛନ୍ତି ଗୁପ୍ତ ସେବା ଓ ଉପଚାର । ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଚାଲିଛି । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଥିବା ବେଳେ ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର କରାଯିବ । ମଧ୍ୟାହ୍ନ ଧୂପ ପରେ ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଅଙ୍ଗରେ ଲଗାଇବେ । ଷଷ୍ଠୀଠୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ । ଫଳରେ କିଛି ମାତ୍ରାରେ ଶ୍ରୀଜିଉ ଜ୍ୱରରୁ ଉପଶମ ପାଇବେ । ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ । ଏହାପରେ ଅନ୍ୟ କିଛି ଗୁପ୍ତ ସେବା ଓ ନୀତି ପରେ ମହାପ୍ରଭୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ।
ପରମ୍ପରା ଅନୁଯାୟୀ, ଗତକାଲି ଅନବସର ପଞ୍ଚମୀ ତିଥିରେ ଅଣସରରେ ଥିବା ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି ହୋଇଛି । ଏନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଶୈଳୀରେ ଫୁଲୁରି ତେଲ ପ୍ରସ୍ତୁତ ହୋଇଥିଲା । ଗତକାଲି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା । ଏହାପରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଶୋଭାଯାତ୍ରାରେ ଫୁଲୁରି ତେଲକୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ଶ୍ରୀଜିଉଙ୍କ ପାଇଁ ୩ଟି ମାଟି ଘଡ଼ିରେ ଫୁଲୁରି ତେଲ ବିଜେ କରାଯାଇଥିଲା । ଜ୍ୱର ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତୈଳ ମର୍ଦ୍ଦନର ଏହି ପରମ୍ପରା ରହି ଆସିଛି ।