ଭୋପାଳ-: ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି ଚିତାବାଘ ଭାରତକୁ ଅଣାଯିବ। ପ୍ରୋଜେକ୍ଟ ଚିତା ଅଧୀନରେ, ସେମାନଙ୍କୁ ଏବେ ପର୍ଯ୍ୟାୟକ୍ରମେ ଗାନ୍ଧୀ ସାଗର ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯିବ। ଏନଟିସିଏ(NTCA) ଅଧିକାରୀମାନେ କହିଛନ୍ତି ଯେ, ପ୍ରୋଜେକ୍ଟ ଚିତା ଅଧୀନରେ ଏପର୍ଯ୍ୟନ୍ତ ୧୧୨ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇସାରିଛି। ଏହି ଟଙ୍କା ମଧ୍ୟରୁ ୬୭ ପ୍ରତିଶତ ମଧ୍ୟପ୍ରଦେଶରେ ଚିତା ପୁନର୍ବାସ ପାଇଁ ଖର୍ଚ୍ଚ ହୋଇଛି। ରାଜସ୍ଥାନ ସୀମାନ୍ତ ଗାନ୍ଧୀ ସାଗର ଅଭୟାରଣ୍ୟକୁ ଚିତାକୁ ଅଣାଯିବ ଏବଂ ପର୍ଯ୍ୟାୟକ୍ରମେ ସେମାନଙ୍କୁ ରଖାଯିବ । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ମଧ୍ୟରେ ଏକ ଆନ୍ତଃରାଜ୍ୟ ଚିତା ସଂରକ୍ଷଣ କ୍ଷେତ୍ର ପ୍ରତିଷ୍ଠା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
ସୂଚନାଯୋଗ୍ୟ ଭାରତରେ ଚିତା ବଂଶର ପୁନରୁଦ୍ଧାର ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶକ୍ରମେ ୨୦୨୨ ସେପ୍ଟେମ୍ବର ପ୍ରଥମ ଦଫାରେ ଆଫ୍ରିକୀୟ ରାଷ୍ଟ୍ର ନାମ୍ବିଆରୁ ୮ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ (୨୦୨୩ ଫେବୃଆରୀ) ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା। ସେମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡାଯାଇଥିଲା। ବର୍ତ୍ତମାନ କୁନୋ ପାର୍କରେ ୨୬ଟି ଚିତା ରହିଛନ୍ତି। ଏମାନଙ୍କ ମଧ୍ୟରୁ ୧୬ଟି ଚିତାକୁ ଜଙ୍ଗଲରେ ଛଡାଯାଇଥିବାବେଳେ ଅବଶିଷ୍ଟ ୧୦ଟି ଚିତା ଏନ୍କ୍ଲୋଜର (ଖୁଆଡ) ମଧ୍ୟରେ ରହିଛନ୍ତି। ଚିତାଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ପ୍ରତ୍ୟେକଙ୍କ ବେକରେ କଲାର ଆଇଡି ଲଗାଯାଇଛି। ଇତିମଧ୍ୟରେ କୁନୋ ପାର୍କରେ ୮ ଚିତାର ମୃତ୍ୟୁ ଘଟିଥିବାବେଳେ ୧୪ ଚିତା ଶାବକ ଜନ୍ମଗ୍ରହଣ କରିସାରିଛନ୍ତି। ବିଗତ ଦୁଇବର୍ଷ ମଧ୍ୟରେ ଚିତା ଦେଖିବାକୁ କୁନୋ ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଥିବା ଜଣାପଡିଛି। କୁନୋରେ ଚିତା ସଫାରି ଆରମ୍ଭ କରିବାକୁ ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି। ପୁନଶ୍ଚ କୁନୋ ପାର୍କରେ ସ୍ଥାନାଭାବ ଯୋଗୁଁ କେତେକ ଚିତାକୁ ରାଜସ୍ଥାନ ସୀମାନ୍ତବର୍ତ୍ତୀ ଗାନ୍ଧୀ ସାଗର ଅଭୟାରଣ୍ୟକୁ ସ୍ଥାନାନ୍ତର ଯୋଜନା କରାଯାଉଛି।