ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଓ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ ଫାଓ ଫୁଟବଲ ଲିଗ୍ରେ ଚାମ୍ପିଆନ୍ ହୋଇ ଓଡ଼ିଶା ପୁଲିସ ପାଇଁ ଗୌରବ ଆଣିଥିବା ଫୁଟବଲ ଦଳ ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜିପି ଶ୍ରୀ ବିନୟତୋଷ ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛି। ଏହି ଅବସରରେ ଡିଜିପି ଶ୍ରୀ ମିଶ୍ର ଚାମ୍ପିଆନ୍ ଦଳର ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ପ୍ରତିଭା, ଶୃଙ୍ଖଳା, ନିଷ୍ଠା ଓ କ୍ରୀଡ଼ା ଉତ୍କର୍ଷତାର ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶା ପୁଲିସର କ୍ରୀଡ଼ାବିତମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଓ ଶୃଙ୍ଖଳିତ ଜୀବନଶୈଳୀ ମାଧ୍ୟମରେ ପୁଲିସ ବାହିନୀର ଗୌରବ ବୃଦ୍ଧି କରୁଛନ୍ତି ବୋଲି ସେ କହିଥିଲେ।

ଡିଜିପି କହିଥିଲେ ଯେ, ଫାଓ ଫୁଟବଲ ଲିଗ୍ରେ ଓଡ଼ିଶା ପୁଲିସର ଏହି ସଫଳତା ରାଜ୍ୟର ଅନ୍ୟ କ୍ରୀଡ଼ାବିତମାନଙ୍କୁ ମଧ୍ୟ ଉଚ୍ଚକୋଟିର କ୍ରୀଡ଼ା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। ଭବିଷ୍ୟତରେ ଓଡ଼ିଶା ପୁଲିସର କ୍ରୀଡ଼ାବିତମାନେ ଆହୁରି ଅନେକ ସଫଳତା ହାସଲ କରି ରାଜ୍ୟ ପୁଲିସ ବାହିନୀ ପାଇଁ ଗୌରବ ଆଣିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୬ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଫାଓ ଫୁଟବଲ ଲିଗ୍ର ଫାଇନାଲ ମ୍ୟାଚ୍ରେ ଓଡ଼ିଶା ପୁଲିସ ୫-୧ ଗୋଲ୍ରେ ୟଙ୍ଗ ଉତ୍କଳ କ୍ଲବକୁ ପରାସ୍ତ କରି ଚାମ୍ପିଆନ୍ ହୋଇଥିଲା। ଫାଇନାଲ ମ୍ୟାଚ୍ରେ ଓଡ଼ିଶା ପୁଲିସ ପକ୍ଷରୁ ପୁରୁଷୋତ୍ତମ କେରକେଟା ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ଲଖାଇ ମୁର୍ମୁ, ରାଇସେନ ଟୁଡୁ ଓ ବିଜୟ ବେହେରା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଦଳର ଏହି ଚମତ୍କାର ପ୍ରଦର୍ଶନ ଓଡ଼ିଶା ପୁଲିସର କ୍ରୀଡ଼ା ଦକ୍ଷତା, ଏକତା ଓ ଟିମ୍ ସ୍ପିରିଟ୍ର ଉତ୍କୃଷ୍ଟ ନିଦର୍ଶନ ପାଲଟିଛି। ଚାମ୍ପିଆନ୍ ହେବା ସହ ଓଡ଼ିଶା ପୁଲିସ ଦଳ ଟ୍ରଫି ସହ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ହାସଲ କରିଛି। ଏହି ସୌଜନ୍ୟମୂଳକ ସାକ୍ଷାତକାର କାର୍ଯ୍ୟକ୍ରମରେ ଅତିରିକ୍ତ ଡିଜିପି (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଆଇଜିପି (କାର୍ମିକ) ଶ୍ରୀ ପ୍ରବୀଣ କୁମାର ଏବଂ କ୍ରୀଡ଼ା ଅଧିକାରୀ ଶ୍ରୀ ନୀଳମାଧବ ସ୍ୱାଇଁ ଉପସ୍ଥିତ ରହି ଚାମ୍ପିଆନ୍ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।