ନୂଆ ବିଧାୟକଙ୍କୁ ତାଲିମ ଦେବେ ଅଭିଜ୍ଞ ବିଧାୟକ : ପାଠ ଶିଖିବେ ନବନିର୍ବାଚିତ

ଭୁବନେଶ୍ୱର: ବିଧାନସଭାର ନୀତି ନିୟମ ଉପରେ ନବ ନିର୍ବାଚିତ ହୋଇଥିବା ବିଧାୟକ ମାନେ ତାଲିମ ଗ୍ରହଣ କରିବେ। ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । କେନ୍ଦ୍ର ଓ ରାଜ୍ୟର ଅଭିଜ୍ଞ ସାଂସଦ,ବିଧାୟକ, ମନ୍ତ୍ରୀ, ପୂର୍ବତ୍ତନ ବିଧାୟକ ଓ ପୂର୍ବତ୍ତନ ମନ୍ତ୍ରୀ ମାନେ ନୂଆ ସଦସ୍ୟଙ୍କୁ ତାଲିମ ଦେବେ । ପ୍ରସିକ୍ଷଣରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ଅତିଥି ଭାବରେ ଯୋଗ ଦେଇ ନିଜର ଅଭିଜ୍ଞତା ଜଣାଇବେ । ଏନେଇ ସୂଚନା ଦେଇଛନ୍ତି, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସୂଚନା ମୁତାବକ, ସମସ୍ତ ନବନିର୍ବାଚିତଙ୍କୁ ଗୃହର କାର୍ଯ୍ୟଧାରା ଉପରେ ଶିକ୍ଷା ଦିଆଯିବ । ଆସନ୍ତା ଅଗଷ୍ଟ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ପ୍ରଶିକ୍ଷଣ କାର୍ଯ୍ୟ ଚାଲିବ । ଚାରୋଟି ପର୍ଯ୍ୟାୟରେ ଏହି ତାଲିମ ସଭା ହେବ । ଅଗଷ୍ଟ ୧୭ ତାରିଖରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ଏଥିରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜୁଜି ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ଅତିଥିଭାବରେ ଯୋଗ ଦେଇ ନିଜର ଅଭିଜ୍ଞତା ବାଣ୍ଟିବେ । ବିଧାନସଭାର କାର୍ଯ୍ୟବିଧି, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଭଳି ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ତାଲିମ ଦିଆଯିବ ।
ସେହିପରି ବିଧାନସଭାକୁ ସର୍ବାଧିକ ୭ ଥର ନିର୍ବାଚିତ ହୋଇଥିବା ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଂଗ୍ରେସର ପୂର୍ବତ୍ତନ ବିଧାୟକ ନରସିଂହ ମିଶ୍ର, ପୂର୍ବତ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଓ ଶ୍ରେଷ୍ଠ ସାଂସଦ ଭାବରେ ପୁରଷ୍କୃତ ହୋଇଥିବା ବରିଷ୍ଠ ବିଜେପି ନେତା ଭର୍ତ୍ତୃହରି ମହତାବ ବିଧାନସଭାର କାର୍ଯ୍ୟବିଧି ଓ ଦାୟିତ୍ୱ ସମ୍ପର୍କରେ ତାଲିମ ଦେବେ। ଏହା ବିଧାନସଭାର ଏକ ପ୍ରକ୍ରିୟା ବୋଲି ମନ୍ତ୍ରୀ କହିଛନ୍ତି ।