ବ୍ୟୁରୋ : ଅଧିକାଂଶ ଲୋକଙ୍କୁ ସୋୟାବଡ଼ି ବହୁତ ପସନ୍ଦ । କେବେ କେବେ ସୋୟା ତରକାରୀ ତ କେବେ ଚିଲ୍ଲି ସୋୟାବଡ଼ି ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ହୋଟେଲରେ ଚିଲ୍ଲି ସୋୟାବଡ଼ି ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ଘରେ ନିଜେ ତିଆରି କେମିତି କରିବେ ଜାଣି ନ ଥାନ୍ତି । ଏଣୁ ଆଜି ଆମେ ଆପଣଙ୍କୁ କେମିତି ଘରେ ତିଆରି କରିପାରିବେ ଟେଷ୍ଟି ଚିଲ୍ଲି ସୋୟାବଡ଼ି ସେ ପୁଣି ହୋଟେଲ ପରି ସ୍ଵାଦରେ ଆସନ୍ତୁ ଜାଣିବା ।
ପ୍ରଣାଳୀ- ଗ୍ୟାସରେ ଗୋଟେ ପ୍ୟାନ ବସାନ୍ତୁ । ପ୍ୟାନରେ ୪କପ୍ ପାଣି ଫୁଟାନ୍ତୁ । ପାଣିରେ ଗୋଟେ ବଡ କପ୍ ସୋୟାବିନକୁ ପକାଇ ଫୁଟିବାକୁ ଦିଅନ୍ତୁ । ସୋୟାବିନ ଫୁଟିଗଲେ ୧୦ମିନିଟ୍ ପରେ ଗରମ ପାଣି ଛାଣି ଦିଅନ୍ତୁ । ଏବେ ଏହି ସୋୟାରେର ଥଣ୍ଡା ପାଣି ଭର୍ତ୍ତି କରିଦିଅନ୍ତୁ । ଏବେ ଗୋଟେ ପାତ୍ରରେ ଦହି ଗୋଟେ ଚାମଚ, ଅଦା ରସୁଣ ପେଷ୍ଟ, ଗୋଲମରିଚ ଅଧ ଚାମଚ, ଲଙ୍କାଗୁଣ୍ଡ ଛୋଟ ଚାମଚ ଓ ଲୁଣ ସ୍ୱାଦ ଅନୁସାରେ ଦେଇ ଗୋଳାନ୍ତୁ । ଏବେ ଏଥିରେ ସୋୟାବଡି ପକାଇ ମିଶାଇ ଦିଅନ୍ତୁ । ଏଥିରେ ୪ଚାମଚ କର୍ଣ୍ଣଫ୍ଲୋର ପକାଇ ମ୍ୟାରିନେଟ୍ କରିଦିଅନ୍ତୁ । ଏବେ ଏହି ସୋୟାବଡିକୁ ତେଲରେ ଛାଣନ୍ତୁ । ସୋୟାବଡି ହାଲକା ବାଦାମୀ ରଙ୍ଗର ହୋଇଗଲେ ଏହାକୁ କାଢିଦିଅନ୍ତୁ । ଏବେ ଗୋଟିଏ ପ୍ୟାନ ବସାଇ ଏଥିରେ ଗୋଟେ ଚାମଚ ରିଫାଇନ ତେଲ ପକାନ୍ତୁ । ତେଲ ଗରମ ହୋଇଗଲେ ଏଥିରେ ଅଦା ଅଧ ଇଞ୍ଚକୁ କାଟି ପକାନ୍ତୁ,ଏବେ ଏଥିରେ କଞ୍ଚା ଲଙ୍କାକୁ କାଟି ପକାଇବେ । ଏବେ ଗୋଟେ ପିଆଜ, କ୍ୟାପସିକମ ପକାଇ ଭାଜି ଦେବେ । ଏବେ ଏଥିରେ ଦୁଇ ଚାମଚ ଟମାଟୋ ସସ୍, ଭିନେଗାର ଗୋଟେ ଚାମଚ, ସୋୟାସସ୍ ଗୋଟେ ଚାମଚ, ଚିଲ୍ଲି ସସ୍ ଗୋଟେ ଚାମଚ ,ଗୋଲମରିଚ ଅଧ ଚାମଚ,ଲୁଣ ସ୍ୱାଦ ଅନୁସାରେ ପକାଇ ମିଶାଇ ଦିଅନ୍ତୁ । ଏବେ ଗୋଟେ ଛୋଟ ପାତ୍ରରେ ଗୋଟେ ଚାମଚ କର୍ଣ୍ଣଫ୍ଲୋର ସହ ଦୁଇ ଚାମଚ ପାଣି ମିଶାଇ ଗୋଳାଇ ଦିଅନ୍ତୁ,ଏହି ପାଣିକୁ ପ୍ୟାନରେ ଢାଳନ୍ତୁ ଜ୍ଝ ଏବେ ଏଥିରେ ସୋୟାବଡି ପକାଇ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଚିଲ୍ଲି ସୋୟାବଡି ।