ଶିମିଳିପାଳର ସୁରକ୍ଷା ପାଇଁ ମୟୂରଭଞ୍ଜ ପୋଲିସ ଓ ବନ ବିଭାଗର ବନ୍ଧୁକ ସଂଗ୍ରହ ଅଭିଯାନ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଶିମିଳିପାଳ ଅଭୟାରଣ୍ୟ ଭିତରେ ପଶି ବନ୍ଧୁକ ସାହାଯ୍ୟରେ ବନ କର୍ମଚାରୀଙ୍କୁ ହତ୍ୟା ସହିତ ଜନ୍ତୁ ଶିକାର ବଢୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ମୟୂରଭଞ୍ଜ ପୋଲିସ ଓ ବନବିଭାଗ ମିଳିତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ବେଆଇନ ବନ୍ଧୁକ ସମର୍ପଣ ଅଭିଯାନ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଶୋଇ ପୋଲିସ ଓ ବନବିଭାଗ ମିଳିତ ଭାବେ ବିଶୋଇ ପଞ୍ଚାୟତର କଲ୍ୟାଣି ମଣ୍ଡପ ଠାରେ ସଚେତନତା ସୃଷ୍ଟି ଲକ୍ଷରେ ଏକ ବୈଠକର ଆୟୋଜନ କରିଥିଲା । ଏହି ବୈଠକରେ ସରପଞ୍ଚ, ସମିତି ସଭ୍ୟ, ଓ୍ଵାଡ୍ ସଭ୍ୟ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିବା ବେଳେ ବୈଠକରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ ଯୋଗ ଦେଇଥିଲେ । ତାଙ୍କ ସହିତ ବିଶୋଇ ଥାନା ଅଧିକାରିଣୀ ମିନି ଭୋଈ, ମଣଦା ରେଞ୍ଜ ଅଧିକାରିଣୀ ଧରିତ୍ରୀ ମୁର୍ମୁ, ବିଶୋଇ ରେଞ୍ଜ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସିଂ, ତାଳବନ୍ଦ ରେଞ୍ଜ ଅଧିକାରୀ ଶଳେନ୍ଦ୍ର କୁମାର ଦାସ, ବିଶୋଇ ସରପଞ୍ଚ କରୁଣା ସାଗର ମାର୍ଣ୍ଡି, ବାଉତିବେଡା ସରପଞ୍ଚ କାଳିଚରଣ ନାଏକ, ଖଡମବେଡା ସରପଞ୍ଚ ସମବାରୀ ସିଂ, ଏନ୍ ବି ପୋଖୁରିଆ ସରପଞ୍ଚ ଡମନ ମୁର୍ମୁ, ବିଶୋଇ ସମିତି ସଭ୍ୟ କାଶୁ ମାଝୀ ସମେତ ବିଶୋଇର ସମସ୍ତ ପୋଲିସ କର୍ମଚାରୀ, ମଣଦା ଓ ବିଶୋଇ ରେଞ୍ଜ ର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ। ଏହି ବୈଠକରେ ବେଆଇନ ଭାବେ ଘରେ ବନ୍ଧୁକ ରଖିବା ଦଣ୍ଡନୀୟ ଅପରାଧ ଅଟେ ଏଣୁ ବନ୍ଧୁକ ରଖିଥିବା ବ୍ୟକ୍ତିମାନେ ଆସନ୍ତା ଜୁଲାଇ ୩୧ ତାରିଖ ପୂର୍ବରୁ ସ୍ଥାନୀୟ ସରପଞ୍ଚ ଓ ଓ୍ଵାଡ୍ ମେମ୍ବର ମାଧ୍ୟମରେ ସ୍ଥାନୀୟ ପ୍ରଶାସନ ନିକଟରେ ସମର୍ପଣ କରିବା ପାଇଁ ମିଳିତ ଭାବରେ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ବେଆଇନ ବନ୍ଧୁକ ସମର୍ପଣ କରିଥିବା ବ୍ୟକ୍ତିକୁ କୌଣସି ପ୍ରକାର ଦଣ୍ଡ ଦିଆଯିବ ନାହିଁ ବୋଲି ସୂଚନା ପ୍ରଦାନ କରାଯାଇଛି।ଏ ନେଇ ମିଳିତ ବିଭାଗ ପକ୍ଷରୁ ଏକ ସଚେତନତା ରଥ ବିଭିନ୍ନ ଗ୍ରାମରେ ପରିକ୍ରମା କରୁଛି। ସରକାରଙ୍କ ଏହି ପଦକ୍ଷେପକୁ କିଛି ବୁଦ୍ଧିଜୀବି ଉତ୍ତମ ପଦକ୍ଷେପ ବୋଲି କହିଛନ୍ତି ।