ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: ସାରା ରାଜ୍ୟରେ ପ୍ରବଳ ବର୍ଷା । ଏହି ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁୂଖୀନ ହେଉଛନ୍ତି ଲୋକେ । ଏବେବି କେତେକ ସ୍ଥାନ ଜଳମଗ୍ନ । ଫଳରେ ମାଟିକାନ୍ଥ ଥିବା ଲୋକଙ୍କ ଘର ଦୁର୍ବଳ ହେବାରେ ଲାଗିଛି । ଯେଉଁଥିପାଇଁ ଅଘଟଣ ଘଟୁଥିବା ନଜିର ରହିଛି । ସେହିଭଳି ମାଟିକାନ୍ଥ ପଡି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଭୁଳବେଡା ଗ୍ରାମରେ ।
ସେହି ଗ୍ରାମର ଅନିଲ କୁମାର ଗିରି ତାଙ୍କ ଦୁଇ ଝିଅ ଓ ସ୍ତ୍ରୀଙ୍କ ସହ ଶୋଇଥିବା ଅବସ୍ଥାରେ ଘଟିଥିଲା ଅଘଟଣ । ତେବେ ବାପା ଓ ମାଆ ଓ ଦୁଇ ଭଉଣୀଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆ ଯାଇଥିଲା । କିନ୍ତୁ ସେଠାରେ ଦୁଇ ଭଉଣୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ବାପା- ମାଆ ଗୁରୁତର ଅବସ୍ଥାରେ ଥିବା ଜଣାପଡିଛି । ଖବର ଗାଁରେ ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।
ସେହିପରି ବାଲିଆପାଳ ବ୍ଲକ ଖଗଡାପାଳ ଗାଁରେ ଘଟିଛି ଅଘଟଣ । ଘରର କାନ୍ଥ ପଡି ଜଣଙ୍କ ମୃତ୍ୟୁ । ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ୨ ଗୁରୁତରଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ଶୋଇଥିବା ବେଳେ ଅଘଟଣ । ଘରକାନ୍ଥ ପଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । କେନ୍ଦୁଝର ମହାଦେଇଯୋଡ଼ା ପଞ୍ଚାୟତ ଟିପରପଡ଼ା ଗାଁର ବେହେରା ସାହିରେ ଅଘଟଣା । ବିଳମ୍ବିତ ରାତିରେ ହୋଇଥିବା ଲଗାଣ ବର୍ଷାରେ ମାଟି ଘରକାନ୍ଥ ପଡ଼ିଯିବାରୁ ଘର ଭିତରେ ଶୋଇଥିବା ଦୂତିକା ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ କୁଲ୍ଲିଆ ବେହେରା ଗୁରୁତର ହୋଇଛନ୍ତି ।