ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ମୁଁ ପ୍ରସ୍ତୁତ: ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଉଦ୍ଧବ କହିଛନ୍ତି ଯେ ଯଦି ଶିବସେନାର ଜଣେ ବି ବିଧାୟକ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହନ୍ତି, ତେବେ ସେ ଇସ୍ତଫା ଏଥିପାଇଁ ପ୍ରସ୍ତୁତ ଅଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଯଦି ମୋ ସାମ୍ନାକୁ ଆସି ଜଣେ ବି ଶିବ ସୈନିକ କୁହନ୍ତି ତେବେ ମୁଁ ଶିବସେନା ମୁଖ୍ୟ ଭାବେ ମଧ୍ୟ ହଟିବାକୁ ପ୍ରସ୍ତୁତ ।

ଉଦ୍ଧବ କହିଛନ୍ତି, ବହୁତ ସମୟ ପରେ ଆପଣ ମାନଙ୍କ ସାମ୍ନାକୁ ଆସିଛି । ବହୁତ କିଛି କହିବାକୁ ଅଛି | ପ୍ରଶାସନରେ ମୋର କୌଣସି ଅଭିଜ୍ଞତା ନଥିଲା | କରୋନା ପରି ଏକ ଚ୍ୟାଲେଞ୍ଜ ଆସିଲା । କରୋନା ମୁକାବିଲା ନେଇ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ନାମ ଶ୍ରେଷ୍ଠ ୫ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସାମିଲ ହୋଇଥିଲା ।ସେ କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମୁଁ ପ୍ରସ୍ତୁତ, କିନ୍ତୁ ତୁମେ ମୋ ସାମ୍ନାକୁ ଆସି ସବୁକିଛି କୁହ। ଏକନାଥ ସୁରଟକୁ ଯାଇ କଥାବାର୍ତ୍ତା କରିବାର ଆବଶ୍ୟକତା କ’ଣ ଥିଲା | କିଛି ଲୋକ କହୁଛନ୍ତି ଯେ ଏହା ବାଲ ଠାକରେଙ୍କ ଶିବସେନା ନୁହେଁ | ବାଲ୍ ଠାକରେଙ୍କ ଦେହାନ୍ତ ପରେ ଆମେ ୨୦୧୪ରେ ଏକାକୀ ଲଢ଼ିଥିଲୁ | ମୁଁ ଗତ ଅଢେ଼ଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଆସିଛି ଏବଂ ଯେତିକି ନେତା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି, ସେମାନେ ସମସ୍ତ ବାଲ ଠାକରେଙ୍କ ଶିବସେନା ଦଳର ଅଟନ୍ତି।

ଅନ୍ୟପକ୍ଷେ, ଶିବସେନାର ବିଦ୍ରୋହୀ ଗୁଜରାଟରୁ ବାହାରି ଗୌହାଟୀରେ ପହଂଚିଛନ୍ତି । ଗୌହାଟୀରେ ପହଂଚିବା ପରେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ କହିଛନ୍ତି, ତାଙ୍କ ପାଖରେ ୪୦ ବିଧାୟକଙ୍କ ସମର୍ଥନ ରହିଛି । ଗୌହ୍ୱାଟୀରେ ଥିବା ବିଧାୟକ ସହ ୫ ଜଣ ମନ୍ତ୍ରୀ ଥିବା କୁହାଯାଉଛି । ଶିବସେନାର ବିଦ୍ରୋହୀ ୩୪ ବିଧାୟକ ଏକନାଥ ସିନ୍ଧେଙ୍କ ସମର୍ଥନରେ ବାହାରିଛନ୍ତି । ସେମାନେ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ‘ଏକନାଥଙ୍କ ସହ ଆମେ ରହିଛୁ’ ବୋଲି ସମସ୍ତେ ମିଳିତ ସ୍ୱରରେ କହିଛନ୍ତି । ଏହିଚିଠିରେ ସମସ୍ତଙ୍କ ହସ୍ତାକ୍ଷର ମଧ୍ୟ ରହିଛି । ଏକନାଥ ସିନ୍ଧେଙ୍କୁ ତାଙ୍କର ନେତା ଦର୍ଶାଇ ଏହି ଚିଠି ଲେଖାଯାଇଛି । ଶିବସେନାର ୩୦ ବିଧାୟକ ଏଥିରେ ଦସ୍ତଖତ କରିଥିବା ବେଳେ ୪ ସ୍ୱାଧୀନ ବିଧାୟକ ମଧ୍ୟ ଦସ୍ତଖତ କରିଛନ୍ତି ।