୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ , ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ରଜ ପରେ ମୌସୁମୀ ଓଡିଶା ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ ସତ ହୋଇଛି ।

(ଭୁବନେଶ୍ୱର) : ରଜ ପରେ ମୌସୁମୀ ଓଡିଶା ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ ସତ ହୋଇଛି । ମୌସୁମୀ ପୂରା ଓଡ଼ିଶା ଛୁଇଁଛି । ଆଗରୁ ୬ ଜିଲ୍ଲାଅଳ୍ପ ହୋଇଥିବା ବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୋମବାର ବାକି ୨୪ ଜିଲ୍ଲାରେ ପ୍ରବେଶ କରିଛି ବୋଲି ପାଣିପାଗ ବିଭାଗ ଘୋଷଣା କରିଛି । ଆସନ୍ତା ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ମଙ୍ଗଳବାର ଉତ୍ତର ଉପକୂଳ ଓଡିଶା ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବାକି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ଓ ପ୍ରବଳ ବର୍ଷା ହୋଇଛି । ସବୁଠୁ ଅଧିକ ବର୍ଷା ହୋଇଛି ବୌଦ୍ଧ ଓ ପାରାଦୀପରେ । ବୌଦ୍ଧରେ ସର୍ବାଧିକ ୧୦୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ୭୫.୭, ସୋନପୁରରେ ୬୫, ପାରଳାଖେମୁଣ୍ଡିରେ ୩୮.୮ ମିଲିମିଟର, ନବରଙ୍ଗପୁରରେ ୨୯, ଢେଙ୍କାନାଳରେ ୨୮, ଭବାନୀପାଟଣାରେ ୨୪.୬, ବାରିପଦାରେ ୧୯.୮, ଖୋର୍ଦ୍ଧାରେ ୧୮, ଛତ୍ରପୁରରେ ୧୧.୬, ଦାରିଙ୍ଗିବାଡ଼ିରେ ୧୩ ଓ ଭୁବନେଶ୍ୱରରେ ୧୦.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ।