ଆଜି ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ , ସୋମବାର ଯିବେ ବିଦେଶ

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଉଛନ୍ତି

(ଭୁବନେଶ୍ୱର) : ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଉଛନ୍ତି । ତେବେ ଆଜି ଅର୍ଥାତ ଶନିବାର ଦିଲ୍ଲୀରେ ପହଞ୍ଚି ସେଠାରେ ଦୁଇଦିନ ରହଣୀ କରିବେ । ରୋମ ଓ ଦୁବାଇ ଗସ୍ତ ସାରି ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି । ଦୁବାଇରେ ନିବେଶକ ସମ୍ମିଳନୀରେ ନବୀନ ଯୋଗ ଦେବେ । ତେବେ ଜୁଲାଇ ୨ରୁ ବିଧାନସଭା ଅଧିବେଶନ ଥିବାରୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ସାରି ଓଡ଼ିଶା ଫେରି ଆସିବା କାର୍ଯ୍ୟକ୍ରମ ରହିଛି ।

ରୋମରେ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଓଡ଼ିଶାର ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମର ସଫଳତା କାହାଣୀ ଉପସ୍ଥାପନ କରିବେ । କୃଷି କ୍ଷେତ୍ରରେ ଓଡ଼ିଶାରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନର ସଫଳତା ସହ ରାଜ୍ୟରେ ମିଶନ ଶକ୍ତିର ସଫଳ କାର୍ଯ୍ୟକ୍ରମ ବାବଦରେ ମୁଖ୍ୟମନ୍ତ୍ରୀ ତଥ୍ୟ ପ୍ରଦାନ କରିବେ । ଏହାବାଦ ଆଉ କିଛି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ସୂଚନାନୁଯାୟୀ , ରୋମ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ସେଠାରୁ ଦୁବାଇ ଗସ୍ତ କରିବେ । ଓଡ଼ିଶା ସରକାର ଓ ଫିକି ଦ୍ୱାରା ଆସନ୍ତା ୨୯ ତାରିଖରେ ଦୁବାଇରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ । ୩୦ରେ ମୁଖ୍ୟମନ୍ତ୍ରୀ ଦୁବାଇରୁ ଭାୟା ଦିଲ୍ଲୀ ହୋଇ ଭୁବନେଶ୍ୱର ଫେରି ଆସିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ୍‌ ଓ ଦୁଇ ଜଣ ବ୍ୟକ୍ତିଗତ କର୍ମଚାରୀ ମଧ୍ୟ ବିଦେଶ ଯିବେ ।