ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା

ଭୁବନେଶ୍ୱର: କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶା ସରକାର ଚମତ୍କାର କାମ କରୁଛନ୍ତି। ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତି ନିର୍ମାଣ, ବିଶ୍ଵସ୍ତରୀୟ ପ୍ରତିଯୋଗିତା ଆୟୋଜନ, କ୍ରୀଡ଼ା ଓ କ୍ରୀଡାବିତଙ୍କ ପ୍ରତି ସ୍ଵତନ୍ତ୍ର ଧ୍ୟାନ, ଖେଳାଳିଙ୍କୁ ସେମାନଙ୍କ ହକ୍ ଦେବା କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ରହିଛି ।ତେବେ ପୁଣିଥରେ କ୍ରୀଡ଼ା କ୍ଷେତ୍ରରେ ଖେଳାଳିଙ୍କ ମନୋବଳ ବୃଦ୍ଧି ନିମନ୍ତେ ଆଗେଇ ଆସିଛି ଓଡ଼ିଶା । ୧୪ ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା, ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳକୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ କରିବ ଓଡ଼ିଶା । ଏଥିଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ କନଭେନସନ ହଲରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଉପସ୍ଥିତ ରହି ପ୍ରତ୍ୟେକ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ । ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପିଚାନ୍ଦଙ୍କ ସମେତ ଭାରତୀୟ ବ୍ୟାଡ଼ମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।