ମେଘାଳୟ ମହିଳା ଶିଶୁକନ୍ୟାକୁ ଧରି ପ୍ରେମିକ ସହ ଆସିଲେ ବାଲେଶ୍ୱର

ବ୍ୟୁରୋ : ପ୍ରେମିକ ସହ ମେଘାଳୟରୁ ଓଡିଶା ପଳାଇ ଆସିଥିଲେ ମହିଳା । ମେଘାଳୟ ଅମ୍ପାତି ପୋଲିସ ଯୁବକଙ୍କୁ କଲା ଗିରଫ । ସୂଚନାନୁଯାୟୀ ବାଲେଶ୍ୱର ଖଇରା ନଟାପଡା ଅଞ୍ଚଳର ଜୟୀରାମ ବିଶ୍ୱାଳ ଅମ୍ପାତି ଅଞ୍ଚଳରେ ରହି କାମ କରୁଥିଲେ । ସେଠାର ଏକ ସ୍ଥାନୀୟ ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲ । ପରେ ଦୁହେଁ ସେଠାରୁ ପଳାଇ ଆସିବା ପାଇଁ ଯୋଜନା କରିଥିଲେ । ଏବଂ କିଛି ଦିନ ତଳେ ସେଠାରୁ ଦୁହେଁ ବାଲେଶ୍ୱର ପଳାଇ ଆସିଥିଲେ ।

ଏ ସମ୍ପର୍କରେ ମହିଳାଙ୍କ ସ୍ୱାମୀ ଜାଣିବା ପରେ ମେଘାଳୟର ଅମ୍ପାତି ଥାନାରେ ଅଭିଯୋଗ କରିଥିଲେ । ଏବଂ ପରକୀୟ ପ୍ରେମ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ସେଠାକାର ପୋଲିସ ଜୟୀରାମଙ୍କ ଫୋନକୁ ଟ୍ରାକ କରି ଓଡିଶାର ସୋର ଅଞ୍ଚଳରେ ପହଞ୍ଚି ଥିଲା । ସେଠାରେ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ପରେ ଆଜି ଜୟୀରାମକୁ ଖଇରା ନଟାପଡା ଅଞ୍ଚଳରୁ ଗିରଫ କରାଯିବା ସହ ଶିଶୁକନ୍ୟା ଓ ମହିଳାକୁ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତକୁ ପ୍ରଥମେ ବାଲେଶ୍ୱର କୋର୍ଟରେ ହାଜର କରି ମେଘାଳୟ ପୋଲିସ ତାଙ୍କୁ ସାଙ୍ଗରେ ନେଇ ଯାଇଛି ।